Categories: ବାଣିଜ୍ୟ

ବଜେଟରେ ବ୍ୟାଙ୍କଗୁଡିକୁ ମିଳି ନ ପାରେ ପୁଞ୍ଜି ସହାୟତା

ନୂଆଦିଲ୍ଲୀ,୬-୧: ଫେବୃୟାରୀ ପହିଲାରେ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ ହେବ। ଏଥିରେ ଚଳିତଥର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ସରକାର କୌଣସି ପୁଞ୍ଜି ସହାୟତା ସମ୍ପର୍କରେ ଘୋଷଣା କରି ନ ପାରନ୍ତି। ଅପରପକ୍ଷରେ ଅନାଦାୟ ଋଣ (ଏନ୍‌ପିଏ) ଅସୁଲିକୁ ଉନ୍ନତ କରିବା ଏବଂ ବଜାରରୁ ପୁଞ୍ଜି ଉଠାଣ ନେଇ ବ୍ୟାଙ୍କଗୁଡିକୁ ସରକାର ଉତ୍ସାହିତ କରିପାରନ୍ତି। ପ୍ରକ୍ରିୟା ସହ ଜଡିତ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ବ୍ୟାଙ୍କଗୁଡିକ ସେମାନଙ୍କ ଅଣପ୍ରମୁଖ ବାଣିଜ୍ୟର ବିକ୍ରି କିମ୍ବା ଅଂଶ ଖସାଇବା ଦ୍ୱାରା ପୁଞ୍ଜି ସଂଗ୍ରହ ସହ ବଜାରରୁ ପୁଞ୍ଜି ସଂଗ୍ରହ ନେଇ ବ୍ୟାଙ୍କ ଧ୍ୟାନ କେନ୍ଦ୍ରିତ କରିପାରନ୍ତି। ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଏବଂ ଅଣଏନ୍‌ସିଏଲ୍‌ଟି ଦ୍ୱାରା ମାମଲା ସମାଧାନ ଏବଂ ଋଣ ଅସୁଲି ଉପରେ ବ୍ୟାଙ୍କ ଧ୍ୟାନ ଦେବେ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏହାର ସହାୟକ କମ୍ପାନୀ ଏସ୍‌ବିଆଇ କାର୍ଡ ଆଣ୍ଡ ପେମେଣ୍ଟ ସର୍ଭିସ ଲିମିଟେଡ ଓ ୟୁଟିଆଇ ମ୍ୟୁଚୁଆଲ ଫଣ୍ଡର ଅଂଶଧନ ସାମାନ୍ୟ କମାଇବା ନେଇ ଯୋଜନା ରଖିଛି। ବ୍ୟାଙ୍କ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜରେ ଏହାର ୧.୦୧% ବା ୫୦ ଲକ୍ଷ ଶେୟାର ବିକିବାକୁ ଯୋଜନା ରଖିଛି। ଏଭଳି ପଦକ୍ଷେପ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ନେଇ ପାରନ୍ତି ବୋଲି କୁହାଯାଉଛି। ଚଳିତ ବର୍ଷ ଅଗଷ୍ଟମାସରେ ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କା ଯୋଗାଣ ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଗୁଡିକୁ ୬୮,୮୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

Share