Categories: ବାଣିଜ୍ୟ

ବଜାରରୁ ହଜିଗଲା ଟାଟା ସୁମୋ

ନୂଆଦିଲ୍ଲୀ,୧୯-୯: ଆଜିଠାରୁ କିଛି ବର୍ଷ ପୂର୍ବେ ପର୍ଯ୍ୟନ୍ତ ଟାଟା ସୁମୋର ଭାରତୀୟ ବଜାରରେ ରାଜତ୍ୱ ଥିଲା। ସହର ମୁକାବିଲାରେ ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାର ବେଶ୍‌ ଆଦର ଥିଲା। ଏବେ ଭାରତୀୟ ବଜାରରୁ ଏହି ମଡେଲ ଗାଡ଼ି ଚୁପ୍‌ଚାପ୍‌ ବିଦାୟ ନେଇସାରିଛି। ତେବେ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଦୀର୍ଘ ୨୫ ବର୍ଷ ଧରି ଦେଶର ଗାଡ଼ି ବଜାରରେ ରାଜତ୍ୱ କରିଥିବା ବେଳେ ୧୯୯୪ରେ ଏହା ପ୍ରଥମଥର ଭାରତୀୟ ବଜାରରେ ପ୍ରବେଶ କରିଥିଲା। ୨୫ ବର୍ଷର ଦୀର୍ଘ ଯାତ୍ରା ପରେ ଚଳିତବର୍ଷ ଏପ୍ରିଲରୁ କମ୍ପାନୀ ଏହାର ଉତ୍ପାଦନ ବନ୍ଦ କରିଦେଇଛି। ଏବେ ବିକ୍ରି ଲାଗି ଟାଟା ଡିଲରଶିପ୍‌ ନିକଟରେ ମଧ୍ୟ ଟାଟା ସୁମୋ ଗାଡ଼ି ନାହିଁ। ଏହାର ପ୍ରଦର୍ଶନ ସମ୍ପର୍କରେ ଉଲ୍ଲେଖ କଲେ ଏତିକି କୁହାଯାଇପାରେ ଯେ, ଏଥିରେ ୩.୦ ଲିଟରର ଡିଜେଲ ଇଞ୍ଜିନ ଲାଗିଥିଲା। ଏହାର ଇଞ୍ଜିନ ୮୫ପିଏସ୍‌ର ମ୍ୟାକ୍ସିମମ୍‌ ପାଓ୍ବାର ଓ ୨୫୦ଏନ୍‌ଏମ୍‌ ପିକ୍‌ ଟର୍କ ଜେନେରେଟ କରୁଥିଲା। ଏହାଛଡ଼ା ଏହାର ଇଞ୍ଜିନ ୫-ସ୍ପିଡ ମାନୁଆଲ ଗିୟରବକ୍ସଯୁକ୍ତ ରହିଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ନୂଆ ଏଆଇଏସ୍‌ ୧୪୫ ସୁରକ୍ଷା ମାନକ ଏବଂ ବିଏସ୍‌-୬ ନିୟମକୁ ଦୃଷ୍ଟିରେ ରଖି ଏହି ଗାଡ଼ିର ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। କମ୍ପାନୀ ପକ୍ଷରୁ ଏଥିରେ କୌଣସି ପରିବର୍ତ୍ତନ କରା ନ ଯିବାରୁ ଏହା ଉକ୍ତ ମାନଦଣ୍ଡ ଅତିକ୍ରମ କରିବା ସହଜ ହେଉ ନ ଥିବାରୁ ଏହାର ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। ସୂଚନାଥାଉ କି, ଏଥିପୂର୍ବରୁ ମାରୁତି ସୁଜୁକି ପକ୍ଷରୁ ଏହାର ମାରୁତି ଓମ୍‌ନୀ ଓ ମାରୁତି ଜିପ୍‌ସୀର ଉତ୍ପାଦନକୁ ବନ୍ଦ କରାଯାଇଛି।

Share