Categories: ଅନୁଗୋଳ

ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଜବ ବ୍ୟବସ୍ଥା: ଚିକିତ୍ସା ଗୃହରେ ହେଉଛି ସଭା ସମିତି

ବଅଁରପାଳ, ୨୬।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଚିକିତ୍ସା। ଡାକ୍ତରଖାନାର ପୁରୁଣା ଘରଗୁଡ଼ିକ ଶୋଚନୀୟ ଅବସ୍ଥାରେ ଥିବାରୁ କାର୍ଯ୍ୟାଳୟ ଗୃହରେ ବର୍ଷା ଦିନେ ପାଣି ଗଳୁଛି। ସେହିପରି ଆବଶ୍ୟକ ଡାକ୍ତର ଓ କର୍ମଚାରୀ ଏଠାରେ ନ ଥିବା ବେଳେ ଇନ୍‌ଡୋର ଚିକିତ୍ସା ଗୃହରେ ଏବେ ସଭାସମିତି କରାଯାଉଥିବା ଅଭିଯୋଗ ହେଉଛି।
୫୫ ନମ୍ବର ଜାତୀୟ ରାଜପଥଠାରୁ ଅଳ୍ପ ଦୂରରେ ରହିଛି ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ବ୍ଲକବାସୀଙ୍କ ସହ ରାଜପଥରେ ଅନେକ ସମୟରେ ଘଟୁଥିବା ଦୁର୍ଘଟଣାର ଆହତମାନଙ୍କୁ ଏଠାରେ ଭର୍ତ୍ତି କରାଯାଇଥାଏ। ୬ ଶଯ୍ୟା ବିଶିଷ୍ଟ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବହିଃବିଭାଗ ଓ ଅନ୍ତଃବିଭାଗ ବ୍ୟବସ୍ଥା ରହିଛି। ତେବେ ଯେଉଁ କୋଠରିରେ ଅନ୍ତଃଚିକିତ୍ସା ବ୍ୟବସ୍ଥା ରହିଛି ଏବେ ସେଠାରେ କୌଣସି ଶଯ୍ୟା ନାହିଁ କି ଅନ୍ୟ କୌଣସି ଚିକିତ୍ସା ସୁବିଧା ମଧ୍ୟ ନାହିଁ। କୋଠରି ବାହାରେ ଅନ୍ତଃ ବିଭାଗୀୟ ଫଳକ ମରାଯାଇଥିଲେ ବି ସେଠାରେ ସଭା ସମିତି ଠାରୁ ଆରମ୍ଭ କରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବା ଦେଖାଯାଉଛି। ଏ ସମ୍ପର୍କରେ ଜଣେ ଡାକ୍ତର କହିଛନ୍ତି, ବର୍ତ୍ତମାନ ପୁରୁଣା ଘର ଗୁଡ଼ିକର ମରାମତି କାର୍ଯ୍ୟ ଚାଲିଛି। ଅନ୍ୟ ଏକ କୋଠରିରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ମରାମତି କାର୍ଯ୍ୟ ପରେ ସେହି ଘରେ ପୁନଶ୍ଚ ଅନ୍ତଃ ବିଭାଗ ଖୋଲିବ। ସେହିପରି ଏଠାରେ ସ୍ବତନ୍ତ୍ର ଭାବେ ସଭାଗୃହ ନ ଥିବାରୁ ବିଭିନ୍ନ ସମୟରେ ଏଠିସେଠି ସଭାସମିତିମାନ ହେଉଥିବାର ଦେଖିବାକୁ ମିଳୁଛି।