Categories: ବାଣିଜ୍ୟ

ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ ୩୨ ପ୍ରତିଶତ ଭାରତୀୟ ସାମଗ୍ରୀ ଆମେରିକାକୁ ରପ୍ତାନି ହୋଇଛି। ଭାରତୀୟ ବାଣିଜ୍ୟ ପରିଚାଳନା ପରିଷଦ(ଟିପିସିଆଇ) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଆମେରିକା ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ଆୟୋଗ(ୟୁଏସ୍‌ଆଇଟିସି)ର ତଥ୍ୟକୁ ଉଦ୍ଧାର କରି ଟିପିସିଆଇ କହିଛନ୍ତି ଯେ, ଗତବର୍ଷ ଜୁନ୍‌ରେ ଆମେରିକାକୁ ୪୯.୫୭ କୋଟି ଡଲାର ଭାରତୀୟ ସାମଗ୍ରୀ ରପ୍ତାନି ହୋଇଥିଲା। ତେବେ ଚଳିତବର୍ଷ ଜୁନ୍‌ରେ ଏହା ୬୫.୭୪ କୋଟି ଡଲାରକୁ ବୃଦ୍ଧି ପାଇଛି। ପ୍ଲାଷ୍ଟିକ ରବର, ଆଲୁମିନିୟମ, ମେଶିନ ଓ ଉପକରଣ, ପରିବହନ ଉପକରଣ,ଚମଡା ଏବଂ ଛାଲ, ମୋତି ଏବଂ ମୂଲ୍ୟବାନ ପଥର ଆଦି ଆମେରିକାକୁ ରପ୍ତାନି ହୋଇଛି। ଟିପିସିଆଇ ଅଧ୍ୟକ୍ଷ ମୋହିତ ସିଙ୍ଗଲା କହିଛନ୍ତି ଯେ, ଜିଏସ୍‌ପି ପ୍ରତ୍ୟାହାର ପରେ ଆମେରିକାକୁ ରପ୍ତାନି ବଢ଼ିବା ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। କାରଣ ଜିଏସ୍‌ପି ଲାଗୁ ବେଳେ ୧୯କୋଟି ଡଲାର ଲାଭ ମିଳୁଥିଲା। ରପ୍ତାନି ବୃଦ୍ଧି କାରଣରୁ ୧୬.୧୭ କୋଟି ଡଲାର କ୍ଷତିଭରଣା ହୋଇପାରିଛି।

Share