ଫେରନ୍ତା ପ୍ରବାସୀଙ୍କ ପାଇଁ ବରୀରେ ପ୍ରସ୍ତୁତି

ବରୀ, ୪।୫ (ସ୍ବ.ପ୍ର.): ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବରୀ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି। ୨୯ ପଞ୍ଚାୟତକୁ ନେଇ ଗଠିତ ବରୀ ବ୍ଲକ ପକ୍ଷରୁ ସୋମବାର ସୁଦ୍ଧା ୧୮୮୦ଲୋକଙ୍କ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ସରିଛି। ଏଥିସହ ବିଭିନ୍ନ ପଞ୍ଚାୟତ ଅଧୀନ ୧୨୦ ବିଦ୍ୟାଳୟରେ ପ୍ରବାସୀଙ୍କ ରହିବାର ବ୍ୟବସ୍ଥା କରାଯାଇଥିବା ବିଡିଓ ଶାଶ୍ୱତ କୁମାର ଜେନା ସୂଚନା ଦେଇଛନ୍ତି। ଏହାଛଡ଼ା ରାମଚନ୍ଦ୍ରପୁରସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ୧୦୦ ଶଯ୍ୟା ପକାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ସେଠାରେ ଶଯ୍ୟା ବଢ଼ାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ରାଜାତୋଟାସ୍ଥିତ କାଦମ୍ବିନୀ ପାଳ ମହିଳା ବିଦ୍ୟାଳୟରେ ୮୦ ଶଯ୍ୟା ଓ ବାଲିଆସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟରେ ୭୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌-୧୯ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ଆବଶ୍ୟକସ୍ଥଳେ ଶଯ୍ୟା ବ୍ୟବସ୍ଥା ହୋଇ ନ ପାରିଲେ ସନ୍ଦଗ୍ଧଙ୍କୁ ଚଟାଣରେ ଶୋଇବା ପାଇଁ ସପ, ତକିଆ ଓ ବିଛଣା ଚାଦର ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି। ସମସ୍ତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟଜଳ, ବିଦ୍ୟୁତ୍‌ ଓ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ରାଜ୍ୟ ବାହାରର ୭୮ଜଣ ଓ ଜିଲା ବାହରର ୨୩୧ଜଣଙ୍କ ସମେତ ୧୨ ଜଣ ଅନାଥଙ୍କୁ ମିଶାଇ ମୋଟ୍‌ ୩୨୧ସ୍ବେଚ୍ଛାସେବୀ ବା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତିନି ବେଳା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।