Categories: ଜାତୀୟ

ଫେବୃୟାରୀ ଯାଏ ଗ୍ରେ ଲିଷ୍ଟରେ ରହିବ ପାକ୍‌

ଇସ୍‌ଲାମାବାଦ, ୧୭ା୧୦(ପି.ଟି.): ଆତଙ୍କବାଦକୁ ନେଇ ପାକିସ୍ତାନ ଏକଘରକିଆ ହୋଇପଡ଼ିଥିବାବେଳେ ଏହାକୁ ପୁଣି ଏକ ଝଟକା ଲାଗିଛି। ପାକିସ୍ତାନକୁ ଆସନ୍ତା ୨୦୨୦ ଫେବୃୟାରୀ ମାସ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରଖିବା ଲାଗି ଏଫ୍‌ଏଟିଏଫ୍‌( ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଏଥିସହ ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସେମାନଙ୍କୁ ଆର୍ଥିକ ସହଯୋଗ ଦେବା ବନ୍ଦକରିବା, ମନିଲଣ୍ଡରିଂରୁ ଦୂରେଇ ରହିବା ଲାଗି ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୯୮୯ରେ ଗଠିତ ଏଫ୍‌ଏଟିଏଫ୍‌ ନାମକ ଆନ୍ତଃ ସରକାରୀ ସଂସ୍ଥା ଆତଙ୍କବାଦୀଙ୍କୁ ଅର୍ଥ ସହଯୋଗ ଦେବା, ମନିଲଣ୍ଡରିଂ ରୋକିବା ଉପରେ କାର୍ଯ୍ୟ କରିଥାଏ। ପ୍ୟାରିସ୍‌ରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ପାକିସ୍ତାନ ଆବଭାବ ଉପରେ ସମୀକ୍ଷା କରାଯାଇଥିଲା। ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ଲାଗି ପାକିସ୍ତାନକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ୨୦୨୦ ଫେବୃୟାରୀରେ ଏନେଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଶୁକ୍ରବାର ଏନେଇ ଘୋଷଣା ହେବାକୁ ଥିବାବେଳେ ଏଭଳି ରିପୋର୍ଟକୁ ପାକ୍‌ ଅର୍ଥମନ୍ତ୍ରଣାଳୟର ମୁଖପାତ୍ର ଓମାର ହମିଦ ଖାନ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି।

Share