Categories: କନ୍ଧମାଳ

ଫୁଲବାଣୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

ଫୁଲବାଣୀ ଅଫିସ,୧୯ା୧୨-କନ୍ଧମାଳ ଜିଲା ଫୁଲବାଣୀସ୍ଥିତ କରୋନେସନ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ମେଡିଶିନାଲ ପ୍ଲାଣ୍ଟ ବୋର୍ଡ ପକ୍ଷରୁ ଏବଂ ଫୁଲବାଣୀ ବନଖଣ୍ଡ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ମେଳାକୁ ଅତିରିକ୍ତ ପିସିସିଏଫ ତଥା ରାଜ୍ୟ ମେଡିଶିନାଲ ପ୍ଲାଣ୍ଟସ୍‌ ବୋର୍ଡର ମୁଖ୍ୟ ନିର୍ବାହୀ ଏ.କେ. ପାଠକ ଉଦ୍‌ଘାଟନ କରିଛନ୍ତ। ଆୟୁର୍ବେଦ ହେଉଛି ପ୍ରାଚୀନ ଚିକିତ୍ସା ପଦ୍ଧତି, ସବୁ ଚିକିତ୍ସା ଏହି ଠାରୁ ହିଁ ଆସିଛି। ଆଜି ବି ସାରା ବିଶ୍ୱରେ ଆୟୁର୍ବେଦର ଗୁରୁତ୍ୱ ରହିଛି ବୋଲି ପାଠକ ଏହି ଅବସରରେ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସର୍କଲ ଅତିରିକ୍ତ ପିସିସିଏଫ ସୁରେଶ ପନ୍ଥ, ବାଲିଗୁଡା ଡିଏଫ୍‌ଓ ଭି. ନିଳାନାଭର, ଘୁମୁସର ସାଉଥ ଡିଭିଜନ ଡିଏଫ୍‌ଓ ଏସ୍‌ ଏନ ବେହୁରା, ବୌଦ୍ଧ ଡିଭିଜନ ଡିଏଫଓ ଯଶୋବନ୍ତ ସେଠୀ, ଫୁଲବାଣୀ କେନ୍ଦୁଲିଫ ଡିଏଫ୍‌ଓ ହେମନ୍ତ କୁମାର ସାହୁ, ଘୁମୁସର ନର୍ଥ ଡିଭିଜନ ଡିଏଫ୍‌ଓ ଅଭୟ କୁମାର ଦଳାଇ, ଜି. ଉଦୟଗିରି ଡିସିଏଫ୍‌ ପି. ସି. ଗୁରୁ ଏବଂ ଓଡିଶା ବାଓ ଡାଇଭର୍ସିଟି ବୋର୍ଡର ବୈଜ୍ଞାନିକ ଡ. ପ୍ରସାଦ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ସଭାରେ ଫୁଲବାଣୀ ଡିଏଫ୍‌ଓ ଲକ୍ଷ୍ମୀ ନାରାୟଣ ବେହେରା ପୌରହିତ୍ୟ କରିଥିଲେ। ଆସନ୍ତା ୨୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ମେଳାରେ ୫୦ଟି ଷ୍ଟଲରେ ଆୟୁର୍ବେଦ ସମ୍ପର୍କିତ ଚେରମୂଳି ଠାରୁ ନେଇ ଔଷଧୀୟ ବୃକ୍ଷର ପ୍ରଦର୍ଶନୀ ହେଉଛି। ଏଥିସହ ବିଭିନ୍ନ ସ୍ଥାନରୁ ଆସିଥିବା ବୈଦ୍ୟମାନେ ବିଭିନ୍ନ ରୋଗ ଓ ଏହାର ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରୁଛନ୍ତି।