Categories: ଜାତୀୟ

ଫାଶୀ ଦେଲେ ସମାଜ କେବେ ବି ହେବନି ଅପରାଧ ମୁକ୍ତ: ପୂର୍ବତନ ବିଚାରପତି କୁରିଏନ

ନୂଆଦିଲ୍ଲୀ,୧୯।୩: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ନେଇ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି କୁରିଏନ ଯୋଶେଫ ମନ୍ତବ୍ୟ ଦେଇଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁରିଏନ କହିଛନ୍ତି ଯେ, ଅପରାଧୀଙ୍କୁ ଫାଶୀଦଣ୍ଡ ଦେଲେ ସମାଜ କେବେ ବି ଅପରାଧ ମୁକ୍ତ ହୋଇପାରିବ ନାହିଁ। ଫାଶୀ ପରେ ଲୋକେ ଅପରାଧ ସମ୍ପର୍କରେ ଭୁଲି ଯିବେ। ମାତ୍ର ଏପରିସ୍ଥଳେ ଯଦି ଅପରାଧୀ ଆଜୀବନ ଜେଲଦଣ୍ଡ ଭୋଗେ ତେବେ ଏହାକୁ ଦୀର୍ଘଦିନ ଧରି ଲୋକେ ମନେ ରଖନ୍ତି। ଫଳରେ ଏଭଳି ଅପରାଧ କରିବା ପୂର୍ବରୁ ପଛଘୁଞ୍ଚା ଦେଇଥାନ୍ତି ବୋଲି କୁରିଏନ କହିଛନ୍ତି। ନିର୍ଭୟା ଭଳି ମାମଲାରେ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ ବଚନ ସିଂ ମାମଲାର ଉଦାହରଣ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ ଯେ, ଫାଶୀଦଣ୍ଡ ଅତି ବିରଳ ଘଟଣାରେ ଦିଆଯିବା ଆବଶ୍ୟକ। ଯେପରିକି ଏହାଛଡ଼ା ଅନ୍ୟ କୌଣସି ବିକଳ୍ପ ନ ଥିବ। ମାତ୍ର ସମସ୍ତ କ୍ଷେତ୍ରରେ ଫାଶୀ ଦଣ୍ଡାଦେଶ କରାଯିବା ଅନାବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିର୍ଭୟା ମାମଲାରେ ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ୩ ଦୋଷୀ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ଆବେଦନ କରିଥିବାବେଳେ ଅକ୍ଷୟ କୁମାର ସିଂଙ୍କ ସ୍ତ୍ରୀ ପୁନୀତା ଔରଙ୍ଗାବାଦ କୋର୍ଟରେ ଛାଡ଼ପତ୍ର ମାମଲା ଲାଗି ଆବେଦନ କରିଛନ୍ତି। ବିଧବା ଭାବେ ବଞ୍ଚିବା ଅପେକ୍ଷା ସେ ଛାଡ଼ପତ୍ର ଚାହୁଁଥିବା ଆବେଦନରେ ଦର୍ଶାଇଛନ୍ତି।

Share