ଫାର୍ମହାଉସରେ ବନବିଭାଗର ଚଢାଉ: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ବୁରାଟ ଗାଁରେ ଏକ ଫାର୍ମହାଉସ୍‌ ଭିତରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ଫାର୍ମହାଉସ ମାଲିକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ୧୦୦ ଖଣ୍ଡ ଶାଗୁଆନ କାଠପଟା ଓ ୫ ଖଣ୍ଡ ଗଣ୍ଡି ବନବିଭାଗ ଜବତ କରିଥିବା ଜଣାପଡ଼ିଛି।
ଉକ୍ତ ଫାର୍ମହାଉସରୁ ବାହାରକୁ ଚୋରା କାଠପଟା ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା। ଏ ନେଇ କଳାହାଣ୍ଡି ଡିଏଫ୍‌ଓ ନିତେଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍‌ ବଂଶୀଧର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ମ.ରାମପୁର ବନ ବିଭାଗ ରେଞ୍ଜର କେଶବ ମାଝି ସଦଳବଳ ଚଢାଉ କରିଥିବା ରାଜ୍ୟ ଅଣଗେଜେଟେଡ୍‌ ବନସେବା ସଂଘ ଉପସଭାପତି ଭବାନୀଶଙ୍କର ପରିଚ୍ଛା କହିଛନ୍ତି।