Categories: ବାଣିଜ୍ୟ

ଫଳ,ପନିପରିବା ହୋମ ଡେଲିଭରି ଦେଲା ଜମାଟୋ

ନୂଆଦିଲ୍ଲୀ,୧୫।୬: ପ୍ରମୁଖ ଦୁଗ୍ଧଜାତ ଉତ୍ପାଦ ଯୋଗାଣକାରୀ ସଂସ୍ଥା ମଦର ଡେରୀ’ର ଫଳ ଓ ପନିପରିବା ୟୁନିଟ ‘ସଫଲ’ ଦିଲ୍ଲୀ ଏନ୍‌ସିଆରରେ ହୋମ୍‌ ଡେଲିଭରି ସେବା ଆରମ୍ଭ କରିଛି। ଏହି ସେବା ଯୋଗାଣ ଲାଗି ମଦର ଡେରୀ ଫୁଡ ଡେଲିଭରୀ ଦେଉଥିବା କମ୍ପାନୀ ଜମାଟୋ ସହ ସୋମବାର ଚୁକ୍ତିରେ ସାମିଲ ହୋଇଛି। ଏ ସମ୍ପର୍କରେ ମଦର ଡେରୀର ମୁଖପାତ୍ର ସୂଚନା ଦେଇଛନ୍ତି। ପରୀକ୍ଷା ମୂଳକ ଭିତ୍ତିରେ ଆରମ୍ଭ ହୋଇଥିବା ଏହି ହୋମ ଡେଲିଭରି ସେବା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି । ଫଳରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ ୧୧ଟି ସଫଲ ଆଉଟଲେଟରୁ ପ୍ରାୟ ୨୭୦ଟନ ପନିପରିବା ଓ ଫଳର ହୋମ ଡେଲିଭରୀ କରାଯାଇଛି। ଦିଲ୍ଲୀ ଏନ୍‌ସିଆରର ପ୍ରମୁ୍‌ଖ ୩ଶହଟି ଆଉଟଲେଟ ମାଧ୍ୟମରେ ଏହି ସେବା ଲୋକଙ୍କୁ ଯୋଗାଇ ଦିଆଯିବ। ଦିଲ୍ଲୀ ଏନ୍‌ସିଆରର ସାକେତ, ବସନ୍ତକୁଞ୍ଜ, ଦ୍ୱାରକା, ଜାନକୀପୁର, ପଞ୍ଚଶୀଳା ଏନକ୍ଲେଭ ଏବଂ ସେକ୍ଟର ୫୦ ଓ ୨୯ ନୋଏଡ଼ା ଭଳି ଅଞ୍ଚଳରେ ଉକ୍ତ ସେବା ଆରମ୍ଭ ହୋଇଛି। ଆଗାମୀ ଦିନରେ ସେବାକୁ ଏନ୍‌ସିଆରର ସମସ୍ତ ଅଞ୍ଚଳରେ ଯୋଗାଇବ ବୋଲି ମଦର ଡେରୀର ବାଣିଜି୍ୟକ ମୁଖ୍ୟ ପ୍ରଦୀପ୍ତ ସାହୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଗ୍ରାହକଙ୍କର ଚାହିଦା ମୁତାବକ ସେବା ଯୋଗାଇଦେବାକୁ ପ୍ରାଥମିକତା ଦିଆଯିବ। ସେହିଭଳି ଜମାଟୋ ସହ ଚୁକ୍ତି ଉଭୟ ସଂସ୍ଥା ଲାଗି ସହାୟକ ହେବା ସହ ଓ ଅଭିବୃଦ୍ଧି ଦିଗରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି।

Share