Categories: ଅନୁଗୋଳ

ଫରେଷ୍ଟ ରେଞ୍ଜର୍ସ କଲେଜର ସମାବର୍ତ୍ତନ ସମାରୋହ ‘ଜଙ୍ଗଲ କ୍ଷେତ୍ରଫଳରେ ଚତୁର୍ଥ ସ୍ଥାନରେ ଓଡ଼ିଶା’

ଅନୁଗୋଳ ଅଫିସ, ୨୬।୯- ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ ଅନୁଗୋଳର ୧୬ତମ ସମାବର୍ତ୍ତନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ଯୋଗଦେଇ ୯୬ ଜଣ ରେଞ୍ଜ ଅଫିସରଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସଙ୍କଳ୍ପ କରାଇଛନ୍ତି। ଫରେଷ୍ଟ ରେଞ୍ଜର୍ସ କଲେଜ ନିର୍ଦ୍ଦେଶକ ଭି. କାର୍ତ୍ତିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମନ୍ତ୍ରୀ ଆରୁଖ୍‌ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଉପଯୁକ୍ତ ଜଙ୍ଗଲ ପରିଚାଳନା ଓ ବ୍ୟାପକ ବନୀକରଣ ଯୋଗୁ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୮୮୫ ବର୍ଗ କିଲୋମିଟର ଜଙ୍ଗଲାଞ୍ଚଳ ବୃଦ୍ଧି ପାଇଛି। ଏଥିସହ ଜଙ୍ଗଲ କ୍ଷେତ୍ରଫଳରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି। କାମ୍ପା ଫଣ୍ଡରୁ ଓଡ଼ିଶାକୁ ନିଜ ଅଂଶଧନ ବାବଦକୁ କେନ୍ଦ୍ର ସରକାର ସର୍ବାଧିକ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ପାଣ୍ଠିର ପୂର୍ଣ୍ଣ ବିନିଯୋଗ କରି ରାଜ୍ୟ ଜଙ୍ଗଲ ସମ୍ପଦର ପରିଚାଳନା ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଅଧିକାରୀମାନଙ୍କୁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ହେବ। ବନ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ଏହାର ସଫଳ ରୂପାୟନ ମଧ୍ୟ ରେଞ୍ଜ ଅଫିସରଙ୍କ ଉପରେ ନିର୍ଭର କରୁଛି। ଦୀର୍ଘ ଦିନ ହେଲା ବନ ବିଭାଗରେ ବହୁ ପଦବଦବୀ ଖାଲି ରହିଥିଲା। ସରକାର ଏହି ଅଭାବକୁ ପୂରଣ କରିଛନ୍ତି। ୯୬ ଜଣ ରେଞ୍ଜ ଅଫିସର ସଫଳତାର ସହ ତାଲିମ୍‌ ନେଇ ସାରିଥିବାରୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସଙ୍କଳ୍ପ କରିଥିବା ମନ୍ତ୍ରୀ କହିଥିଲେ। ମହାବାତ୍ୟା ଫନୀ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷ ଉଜାଡ଼ି ଦେଇଥିବାରୁ ସବୁଜିମାକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ସ୍ବତନ୍ତ୍ର ଡାକରାରେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ମନ୍ତ୍ରୀ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ସନ୍ଦୀପ ତ୍ରିପାଠୀ ପ୍ରଶିକ୍ଷାର୍ଥିମାନଙ୍କୁ ଧୈର୍ଯ୍ୟର ସହ ସମସ୍ତ ବାଧାବିଘ୍ନର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁଦର୍ଶନ ପଣ୍ଡା ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଅର୍ଜିତ ଜ୍ଞାନର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆର୍‌ସିସିଏଫ୍‌ ପ୍ରଦୀପ ରାଜ୍‌ କାରାଟ୍‌ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଟ୍ରେନିଂ କଲେଜର ୱେବସାଇଟ୍‌, ଫ୍ଲୋରା ଆପ୍‌, ଫଟୋ ଆଲବମ୍‌ ଓ ପ୍ରଶିକ୍ଷାର୍ଥୀଙ୍କ ବାୟୋଡାଟା ସମ୍ପର୍କିତ ପୁସ୍ତକ (ଗ୍ୟାଲେକ୍ସି)କୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ସମାରୋହରେ ବନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଶିକ୍ଷାର୍ଥୀଙ୍କ ଅଭିଭାବକ ଉପସ୍ଥିତ ଥିଲେ।