ପ୍ୟାକ୍ସ ଦୁର୍ନୀତି ତଦନ୍ତ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଅନଶନ

ବରଗଡ଼ ଅଫିସ, ୧।୧୧: ବରଗଡ଼ ଜିଲା ଝାରବନ୍ଧ ଥାନା ଡଭା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ ବିଗତ ବର୍ଷରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳି ନାହିଁ। ଏହାର ପ୍ରତିବାଦରେ ଶୁକ୍ରବାରଠାରୁ ଡଭା ଆଞ୍ଚଳିକ କୃଷକ ସଂଗଠନର ଚାଷୀ ପ୍ରତିନିଧିମାନେ ବରଗଡ ଜିଲାପାଳ ଅଫିସ ସମ୍ମୁଖରେ ଅନଶନ ଆରମ୍ଭ କରିଛନ୍ତି। ୨୧ଜଣ ଅନଶନରେ ବସିଥିବା ବେଳେ ବହୁସଂଖ୍ୟକ ଚାଷୀ ପ୍ରତିନିଧି ସମର୍ଥନ ଜଣାଇ ସେଠାରେ ଉପସ୍ଥିତ ଅଛନ୍ତି। ଡଭା ପ୍ୟାକ୍ସରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ, ନୂତନ ସମ୍ପାଦକ ନିଯୁକ୍ତି, ବୀମା ସହାୟତା ପ୍ରଦାନରେ ଏସିଏଫ୍‌ ଉଚ୍ଛେଦ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ଆଦି ଦାବି କରିଛନ୍ତି। ଡଭା ଆଞ୍ଚଳିକ କୃଷକ ସଂଗଠନର ସମ୍ପାଦକ ଅଶୋକ କୁମାର ସାହୁ, ଜୟ କିଷାନ, ଆନ୍ଦୋଳନର ଆବାହକ ରମେଶ ମହାପାତ୍ର ପ୍ରମୁଖ ଏହାର ନେତୃତ୍ୱ ନେଉଛନ୍ତି।