Categories: ବାଣିଜ୍ୟ

ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍‌

ନୂଆଦିଲ୍ଲୀ,୪।୬: ଟିକ୍‌ଟକ୍‌ ଭଳି କାମ କରୁଥିବା ମିତ୍ରୋ ଆପ୍‌ ୟୁଜର୍ସଙ୍କ ଲାଗି ମହାରାଷ୍ଟ୍ର ସରକାରଙ୍କ ସାଇବର ସେଲ୍‌ ଏକ ଆଡଭାଇଜରି ଜାରି କରିଛନ୍ତି। ନିରାପତ୍ତା ନେଇ ବିଭିନ୍ନ ଅସୁବିଧା ଏହି ଆପ୍‌ରେ ରହିଥିବା କୁହାଯାଇଛି। ଏହାଦ୍ୱାରା ହ୍ୟାକର୍ସ ୟୁଜର ଆକାଉଣ୍ଟର ଖରାପ ଅର୍ଥରେ ମଧ୍ୟ ବ୍ୟବହାର କରିବା ନେଇ ଆଶଙ୍କା କରାଯାଇଛି। ଆକାଉଣ୍ଟରେ ଧମକ ଦିଆଯିବା ଭଳି ଖେଳ ମଧ୍ୟ ଖେଳାଯାଉଛି। ୟୁଜରଙ୍କୁ ମହାରାଷ୍ଟ୍ର ସରକାରଙ୍କ ସାଇବର ସେଲ୍‌ ଟୁଇଟର ଯୋଗେ ସାବଧାନ କରାଇଛି। ଆପ୍‌ରେ ରହିଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଏହାକୁ ନିଜ ଫୋନ୍‌ରୁ ଡିଲିଟ କରିବା ଲାଗି କୁହାଯାଇଛି। ସେହିଭଳି ଏହି ଆପ୍ଲିକେଶନକୁ ଗୁଗଲ ପ୍ଲେ ଷ୍ଟୋରରୁ ମଧ୍ୟ ହଟାଇ ଦିଆଯାଇଛି। ସାଇବର ସେଲ୍‌ ରିପୋର୍ଟ ମୁତାବକ କୌଣସି ଆକାଉଣ୍ଟ ଲଗ୍‌ଇନ କରିବା ଲାଗି କେବଳ ୟୁଜର ଆଇଡି ଜଣାଥିବା ଆବଶ୍ୟକ। ଏଥିଲାଗି ପାସ୍‌ଓ୍ବାର୍ଡ ଜରୁରୀ ପଡ଼େ ନାହିଁ। ଆପ୍‌ରେ ଲଗ୍‌ ଇନ୍‌ ଉଇଥ ଗୁଗଲ ଫିଚର ଦିଆଯାଇଛି। ଏହି ଆପ୍‌ ଗୁଗଲ ଆକାଉଣ୍ଟରୁ ବ୍ୟକ୍ତିଗତ ସୂଚନା ହାସଲ କରିଥାଏ। ଏହା ଅଥେଣ୍ଟିକେଶନ ପାଇଁ କୌଣସି ସିକ୍ରେଟ ଟୋକନ କ୍ରିଏଟ କରି ନ ଥାଏ। ଲଗ୍‌ଇନ୍‌ ପାଇଁ ଏଥିରେ ସିକ୍ୟୁର ସକେଟ ଲେୟାର ନିୟମ ପାଳନ କରାଯାଇ ନ ଥାଏ। ଏହାର ଫାଇଦା ଉଠାଇ ହ୍ୟାକର୍ସ ଲଗ୍‌ଇନ୍‌ ଆଇଡି ଜରିଆରେ ୟୁଜରଙ୍କ ଆକାଉଣ୍ଟ ତଥ୍ୟ ହାସଲ କରିନିଅନ୍ତି। ଏହାଦ୍ୱାରା ହ୍ୟାକର ୟୁଜରଙ୍କ ଆକାଉଣ୍ଟରୁ କାହାକୁ ବି ମେସେଜ ଏବଂ କମେଣ୍ଟ କରିପାରିବେ। ରିପୋର୍ଟ ମୁତାବକ ଉକ୍ତ ଆପ୍ଲିକେଶନଟି ପାକିସ୍ତାନର ଟିକ୍‌ଟିକ୍‌ର ରିପ୍ୟାଜିଂ ଭର୍ସନ। ଏହାର କୌଣସି ପ୍ରିଭେସି ନୀତି ନ ଥିବା ବେଳେ ପ୍ରତିଷ୍ଠାତାଙ୍କ ସମ୍ପର୍କରେ କିଛି ଜଣାପଡିନି। ସାଇବର ଅପରାଧ ବଢୁଥିବାରୁ ଉକ୍ତ ଆପ୍ଳିକେଶନକୁ ତୁରନ୍ତ ହଟାଇବା ଲାଗି ରିପୋର୍ଟରେ କୁହାଯାଇଛି।

Share