ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଗିରଫ

ବଡବିଲ, ୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପ୍ଲାଣ୍ଟରୁ ଗତ ସୋମବାର ବିଳମ୍ବିତ ରାତିରେ ଲୌହ ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡବିଲ ମହାନ୍ତ ବସ୍ତି ମମତା ହଟିଂ ଅଞ୍ଚଳର ଗୁରୁ ଚରଣ ହେସା ଓ ଜନ ଟିଉ ଓରଫ୍‌ ଟୁଟି। ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ବେଳେ ପ୍ଲାଣ୍ଟ ପରିସରରୁ ଚୋରି ଅଭିଯୁକ୍ତ ଦ୍ୱୟ ଚୋରି କରିଥିବା ନେଇ ପ୍ଲାଣ୍ଟ ସିକ୍ୟୁରିଟୀ ଅଫିସର ରମେଶ ଚନ୍ଦ୍ର ପ୍ରଧାନ ବଡବିଲ ଥାନାରେ ଲିଖିତ ଏତଲା ଦେଇଥିଲେ। ଏ ନେଇ ପୋଲିସ ବଡବିଲ ଥାନାରେ ଏକ ମାମଲା (ନଂ ୧୬୦/୨୦୧୯) ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହ ବୁଧବାର ଦିନ କୋର୍ଟ ଚାଲାଣ କରିଛି।