Categories: ବାଣିଜ୍ୟ

ପ୍ଲାଟଫର୍ମ ଟିକେଟ ବିକି ରେଳଓ୍ବେର ୧୩୯ କୋଟି ଆୟ

ନୂଆଦିଲ୍ଲୀ,୨୯-୭: ଭାରତୀୟ ରେଲଓ୍ବେ ଯାତ୍ରୀ ଭଡ଼ା ନ ବଢ଼ାଇ ଆୟ କରିବା ଲାଗି ବିକଳ୍ପ ପନ୍ଥା ଆପଣାଇଛି। ଏହିକ୍ରମରେ ଏହା ପ୍ଲାଟଫର୍ମ ଟିକେଟ ବିକ୍ରି କରି ୨୦୧୮-୧୯ରେ ୧୩୯.୨ କୋଟି ଟଙ୍କା ଆୟ କରିଛି। ଏହାବ୍ୟତୀତ ଏହି ସମୟରେ ବିଜ୍ଞାପନ ଓ ଷ୍ଟେଶନରେ ଦୋକାନ ସ୍ଥାପନ ବାବଦରେ ୨୩୦.୪୭ କୋଟି ରୋଜଗାର କରିଛି ବୋଲି ରେଲଓ୍ବେ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ପ୍ରଚଳିତ ନୀତି ଅନୁଯାୟୀ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ରେଳ ଷ୍ଟେଶନରେ ଦୋକାନ ଖୋଲିବା ଏବଂ ବିଜ୍ଞାପନ କରିବାକୁ ଅନୁମୋଦନ କରାଯାଇଥାଏ। ଏଣୁ ଚୁକ୍ତି କରିବା ଲାଗି ରେଲଓ୍ବେ ପୂର୍ବରୁ ଦର ସ୍ଥିର କରୁଛି ବୋଲି ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଯାତ୍ରୀମାନଙ୍କ ଉପରେ ଅତିରିକ୍ତ ବୋଝ ନ ବଢ଼ାଇ ରେଲଓ୍ବେ ଅନ୍ୟ ବାଟେ ନିଜର ଆୟ ବଢ଼ାଇବାକୁ ଚାହୁଁଛି। ରେଳର ବୈଦ୍ୟୁତିକୀକରଣ ପାଇଁ ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ପକ୍ଷରୁ ୭୫ କୋଟି ଡଲାର ଋଣ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି। ରେଳଓ୍ବେ ମୋବାଇଲ ସମ୍ପତ୍ତି, ବିଜ୍ଞାପନ, ରେଲ ଡିସ୍‌୍‌ପ୍ଲେ ନେଟ୍‌ଓ୍ବର୍କ ଏବଂ କଣ୍ଟେଣ୍ଟ ଅନ୍‌ ଡିମାଣ୍ଡ ଭଳି ଅଣପାରମ୍ପରିକ ମାଧ୍ୟମରୁ ରୋଜଗାର ବଢ଼ାଇବାକୁ ଚାହୁଁଛି ବୋଲି ଗୋୟଲ ପ୍ରକାଶ କରିଛନ୍ତି।

Share