ନୂଆଦିଲ୍ଲୀ,୩୦।୧୨:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ପ୍ରେମରେ ପଡ଼ିଛନ୍ତି। ଭଦ୍ରା ପରିବାରର ଭବିଷ୍ୟତ ବୋହୂ ହେଉଛନ୍ତି ଅଭିଭା ବେଗ । ପ୍ରେମିକା ଅଭିଭାଙ୍କ ସହ ରେହାନଙ୍କ ନିର୍ବନ୍ଧ ନିଶ୍ଚିତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ, ଉଭୟଙ୍କ ନିର୍ବନ୍ଧ ଖୁବଶୀଘ୍ର ହେବାକୁ ଯାଉଛି।
ରେହାନ ନିକଟରେ ତାଙ୍କ ୭ ବର୍ଷର ପ୍ରେମିକା ଅଭିଭାଙ୍କ ବିବାହ ପ୍ରସ୍ତାବ ଦେଇଥିଲେ। ସେ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଏହା ବ୍ୟତୀତ, ଉଭୟ ପରିବାର ଏହି ସମ୍ପର୍କକୁ ଅନୁମୋଦନ କରିଛନ୍ତି। ଅଭିଭା ଏବଂ ତାଙ୍କ ପରିବାର ଦିଲ୍ଲୀର ବାସିନ୍ଦା। ନିର୍ବନ୍ଧ ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
ଅଭିଭା ଜଣେ ଫଟୋଗ୍ରାଫର। ଗତ ପାଞ୍ଚ ବର୍ଷ ଧରି ସେ ଅନେକ ପ୍ରତିଷ୍ଠିତ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି। ୨୦୨୩ରେ ସେ ମେଥଡ ଗ୍ୟାଲେରୀ ସହିତ ‘ୟୁ କ୍ୟାଣ୍ଟ ମିସ ଦିସ’ ପ୍ରଦର୍ଶନୀରେ ତାଙ୍କର କଳା ଉପସ୍ଥାପନ କରିଥିଲେ। ଏହି ବର୍ଷ, ତାଙ୍କର କାମ ଇଣ୍ଡିଆ ଆର୍ଟ ଫେୟାରର ୟଙ୍ଗ କଲେକ୍ଟରସ ପ୍ରୋଗ୍ରାମର ଅଂଶ ଭାବରେ ‘ୟୁ କ୍ୟାଣ୍ଟ ମିସ ଦିସ’ପ୍ରଦର୍ଶନୀରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ପୂର୍ବରୁ ସେ ୨୦୧୯ରେ ଦି କୋରମ କ୍ଲବରେ ‘ଦି ଇଲ୍ୟୁସରୀ ୱାଲର୍ଡ’ ଏବଂ ୨୦୧୮ରେ ଇଣ୍ଡିଆ ଡିଜାଇନ ଆଇଡି, କେ୨ ଇଣ୍ଡିଆରେ ତାଙ୍କର ଫଟୋଗ୍ରାଫି ପ୍ରଦର୍ଶନ କରିଥିଲେ। ଅଭିଭା ବେଗ ଏକ ଫଟୋଗ୍ରାଫିକ ଷ୍ଟୁଡିଓ ଏବଂ ପ୍ରଡକ୍ସନ କମ୍ପାନୀ ଆଟେଲିୟର୍ ୧୧ର ସହ-ପ୍ରତିଷ୍ଠାତା ମଧ୍ୟ। କମ୍ପାନୀ ସାରା ଦେଶରେ ଅନେକ ଏଜେନ୍ସି, ବ୍ରାଣ୍ଡ ଏବଂ କ୍ଲାଏଣ୍ଟଙ୍କ ସହିତ କାମ କରେ।
Dharitri – Odisha’s No.1 Odia Daily


