ପ୍ରହସନ ପାଲଟିଛି ଲୋକଙ୍କୁ ମାସ୍କ ବଣ୍ଟନ

ଲଖନପୁର,୧୯।୪(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ତରଫରୁ ଲଖନପୁର ବ୍ଲକ୍‌ରେ ମାସ୍କ ବଣ୍ଟନ କରାଯାଉଛି। ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀମାନେ ଘର ଘର ବୁଲି ମାସ୍କ ବଣ୍ଟନ କରୁଛନ୍ତି। ହେଲେ ପ୍ରତି ପରିବାରକୁ ମାତ୍ର ଗୋଟିଏ ଲେଖାଏ ବଣ୍ଟନ କରାଯାଉଛି। ପରେ ଆଉ ଦିଆଯିବ ବୋଲି କୁହାଯାଉଛି। ଏଣୁ ଏହି ଗୋଟିଏ ମାସ୍କ ପରିବାରରେ କିଏ ପିନ୍ଧିବ କହି ଲୋକେ ଏହାକୁ ଗ୍ରହଣ କରୁ ନାହାନ୍ତି ବରଂ ଫେରାଇ ଦେଉଛନ୍ତି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଆଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀମାନେ ଲୋକଙ୍କ ଅସନ୍ତୋଷର ଶିକାର ହେଉଛନ୍ତି। ସରଣ୍ଡାମାଲ ପଞ୍ଚାୟତ ଫଠା ଗ୍ରାମରେ ଶନିବାର ଅଙ୍ଗନବାଡି କର୍ମୀ ସାଇବାଣି ପାଢୀ ଓ ଆଶାକର୍ମୀ ବିଳାସିନୀ ରାଉଡିଆ ମାସ୍କ ବଣ୍ଟନ କରୁଥିବାବେଳେ ଏଭଳି ଦେଖିବାକୁ ମିଳିଥିଲା। ଲୋକେ ଏହାକୁ ବିରୋଧ କରିଥିଲେ। ଅଙ୍ଗନଓ୍ବାଡି କର୍ମୀ କହିଛନ୍ତି ଯେ ଫଠା ଅଙ୍ଗନବାଡି ୧ନଂ କେନ୍ଦ୍ର ଅଞ୍ଚଳରେ ଲୋକସଂଖ୍ୟା ହେଉଛି ୬୫୮। ଏହି ହିସାବରେ ମାସ୍କ ଦିଆଯିବା କଥା । ହେଲେ ମାତ୍ର ୨ଶହ ମାସ୍କ ଦିଆଯାଇଛି। ତେବେ ଏ ନେଇ ସୁପରଭାଇଜର୍‌ ଭାଲେରିଆ ତିର୍କୀ କହିଛନ୍ତି ଯେ, ବନ୍ଧବାହାଲ ସେକ୍ଟରରେ ତେଲେନପାଲି, ସରଣ୍ଡାମାଲ ଓ ବନ୍ଧବାହାଲ ପଞ୍ଚାୟତ ରହିଛି ା ଏହି ସେକ୍ଟର ଅଧୀନରେ ୧୪ ଅଙ୍ଗନଓ୍ବାଡି ସେଣ୍ଟର ରହିଛି। ଏହି ଅଞ୍ଚଳରେ ୧୯ ହଜାର ଲୋକ ବସବାସ କରୁଛନ୍ତି। ହେଲେ ଆଇସିଡିଏସ୍‌ ତରଫରୁ ମାତ୍ର ୩ ହଜାର ୮ଶହ ମାସ୍କ ଦିଆଯାଇଛି। ଏ ନେଇ ସିଡିପିଓ ଆରତୀ ଯୋଶୀ କହିଛନ୍ତି ଯେ, ଓପିଜିସି, ଏମ୍‌ସିଏଲ୍‌ ଓ ଟିଆର୍‌ଏଲ୍‌ କମ୍ପାନୀ ସହାୟତା ମାସ୍କ ପ୍ରଦାନ କରାଯାଉଛି। ଆଇସିଡିଏସ୍‌କୁ ଓପିଜିସି ୧ଲକ୍ଷ ୨୯ହଜାର ୪୫୨, ଏମ୍‌ସିଏଲ୍‌ ୧ଲକ୍ଷ ୭ହଜାର ୬୮୦ ଏବଂ ଟିଆର୍‌ଏଲ୍‌ ୧୨ହଜାର ମାସ୍କ ଯୋଗାଇଦେବା କଥା । ହେଲେ ଏହିସବୁ କମ୍ପାନୀ ୪୬ହଜାର ୮ଶହ ମାସ୍କ ଯୋଗାଇ ଦେଇଛନ୍ତି। ଏଣୁ ସମସ୍ତ ଲୋକଙ୍କୁ ମାସ୍କ ଯୋଗାଇଦେବା ସମ୍ଭବପର ହେଉନାହିଁ। ଏ ନେଇ ଜିଲାପାଳ ସରୋଜ ସାମଲ କହିଛନ୍ତି ଯେ, ଜଣଙ୍କୁ ୨ଟି ଲେଖାଏ ମାସ୍କ ବଣ୍ଟନ କରାଯିବା ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ପ୍ରତି ପରିବାରକୁ ଗୋଟିଏ ଲେଖା ମାସ୍କ ବଣ୍ଟନ କରାଯାଉଛି ସେ ସମ୍ପର୍କରେ ସେ ନିଜେ ଅନୁଧ୍ୟାନ କରିବେ। ଜଣେ ବ୍ୟକ୍ତି ଯେଭଳି ୨ଟି ମାସ୍କ ପାଇପାରିବେ ସେ ନେଇ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।