ପ୍ରଶାନ୍ତ କୁମାରଙ୍କ ଉପରେ ନ୍ୟସ୍ତ କରାଗଲା ୟସ୍‌ ବ୍ୟାଙ୍କର ଦାୟିତ୍ୱ

ନୂଆଦିଲ୍ଲୀ,୬।୩: ୟସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ଫଳରେ ଗ୍ରାହକ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ମାତ୍ର ୫୦ ହଜାର ଟଙ୍କା ଉଠାଇ ପାରିବେ ବୋଲି କୁହାଯାଇଛି। ମୋରାଟୋରିୟମ ସମୟ ମଧ୍ୟରେ ଏହାଠାରୁ ଅଧିକ ଟଙ୍କା ଉଠାଇବା ସମ୍ଭବ ନୁହେଁ ବୋଲି ଜଣାପଡିଛି। ଏହାସହ କେନ୍ଦ୍ରୀୟ ବ୍ୟାଙ୍କ ୟସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ ଅଧିକାରିଙ୍କ ଉପରେ ଗୋଟିଏ ମାସ ପାଇଁ କଟକଣା ଲଗାଇଛନ୍ତି। ଏହି ସମୟରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ପୂର୍ବତନ ଡିଏମ୍‌ଡି ଓ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ୟସ୍‌ ବ୍ୟାଙ୍କର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ କହିଛନ୍ତି ୟେସ୍‌ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ଅର୍ଥ ସୁରକ୍ଷିତ ରହିଛି। ଏହାକୁ ନେଇ କେହି ବିଚଳିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ୟେସ୍‌ ବ୍ୟାଙ୍କର ସଙ୍କଟକୁ ରିଜର୍ଭ ବ୍ୟାଙ୍କ ଓ ସରକାର ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି ବୋଲି ସେ କହିଛନ୍ତି।

Share