Categories: ବାଣିଜ୍ୟ

ପ୍ରମୁଖ ଉଦ୍ୟୋଗ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି; କୋର୍‌ ସେକ୍ଟର ଅଭିବୃଦ୍ଧି ୧.୫% କମିଲା

ନୂଆଦିଲ୍ଲୀ,୧-୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଲଗାତାର ଭାବେ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଖସୁଛି। ନଭେମ୍ବରରେ ୮ କୋର୍‌ ସେକ୍ଟର ଭିତ୍ତିଭୂମି ଶିଳ୍ପଉଦ୍ୟୋଗ ର ଅଭିବୃଦ୍ଧି ନଭେମ୍ବରରେ ୧.୫% ଖସିଛି। ୮ କୋର୍‌ ସେକ୍ଟର ମଧ୍ୟରୁ ୫ଟିର ଅଭିବୃଦ୍ଧି ନକାରାତ୍ମକ ରହିଥିବା ସରକାର ମଙ୍ଗଳବାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ୨୦୧୮ ନଭେମ୍ବରରେ ୮ କୋର ସେକ୍ଟର ଅଭିବୃଦ୍ଧି ୩.୩% ରହିଥିଲା। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ଇସ୍ପାତ, ବିଦ୍ୟୁତ ଭଳି କ୍ଷେତ୍ରର ଉତ୍ପାଦନ ନିମ୍ନଗାମୀ ହୋଇଥିବା ରିପୋର୍ଟରୁ ସାମ୍ନାକୁ ଆସିଛି। ସିମେଣ୍ଟ କ୍ଷେତ୍ରର ଉତ୍ପାଦନ ହ୍ରାସ ହେବା ଯୋଗୁ ଏହାର ଅଭିବୃଦ୍ଧି ୪.୧%କୁ ଖସିଛି। ଏହା ଗତ ବର୍ଷ ନଭେମ୍ବରରେ ୮.୮% ରହିଥିଲା। ଏହାବାଦ ରିଫାଇନେରୀ ପ୍ରଡକ୍ଟ ଏବଂ ସାର ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଚଳିତ ବର୍ଷ ଉନ୍ନତ ରହିବା ସହ ଯଥାକ୍ରମେ ୩.୧% ଏବଂ ୧୩.୬% ରହିଛି। ଚଳିତ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ କୋର ସେକ୍ଟରରେ ଅଭିବୃଦ୍ଧି ସାଧନ ହୋଇ ନାହିଁ। ଯାହା ଗତ ବର୍ଷ ସମାନ ସମୟରେ ୫.୧% ରହିଥିଲା। ଚଳିତ ବର୍ଷ ଅଗଷ୍ଟ ପରଠାରୁ କୋର ସେକ୍ଟରରେ ଉତ୍ପାଦନ ଅଭିବୃଦ୍ଧି ଲଗାତାର ନକାରାତ୍ମକ ରହିଛି।
ଦେଶର ମାନ୍ଦାବସ୍ଥା ସ୍ଥିତି ଯୋଗୁ ଉଦ୍ୟୋଗଗୁଡିକର ଉତ୍ପାଦନରେ ଲାଗାତାର ଭାବେ ହ୍ରାସ ହେଉଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଚାହିଦା ଏବଂ ନିବେଶ ପ୍ରଭାବିତ ହେବା ଯୋଗୁ ଶିଳ୍ପ କ୍ଷେତ୍ର ଉପରେ ଏହାର ପ୍ରଭାବ ପଡିଛି। ସମଗ୍ର ଅର୍ଥ ବ୍ୟବସ୍ଥାର ସ୍ଥିତି ଏବେ ବେହାଲ ରହିଛି। ସରକାର ସ୍ଥିତିରେ ସୁଧାର ଆଣିବାକୁ ପ୍ରୟାସ କରୁଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ। ଅଟୋମୋବାଇଲ, ରିୟଲ ଇଷ୍ଟେଟ, ମାଇନିଂ, ଏଫ୍‌ଏମ୍‌ସିଜି ସହ ଶିଳ୍ପ କ୍ଷେତ୍ରର ଉତ୍ପାଦନ ଲଗାତାର ଭାବେ କମୁଥିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଏପଟେ ନୂଆ ବର୍ଷକୁ ନେଇ ଇଣ୍ଡିଆ ଇଙ୍କ ଆଶାଦାବି ରହିଥିବା କୁହାଯାଉଛି।

Share