ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ: ଜଗନ୍ନାଥପୁର ଷ୍ଟେଶନରେ ଗଞ୍ଜାମ ଜିଲାପାଳ, ଏସ୍‌ପିଙ୍କ ଅନୁଧ୍ୟାନ

ଛତ୍ରପୁର,୨ା୫(ଡି.ଏନ୍‌.ଏ.): କେରଳ, ସୁରଟ ଓ ବାଙ୍ଗାଲୁରରୁ ୩ଟି ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଓଡ଼ିଆମାନେ ଫେରୁଛନ୍ତି। କେରଳରୁ ବାହାରିଥିବା ଏର୍ନାକୁଲମ ଜଙ୍କଶନ- ଭୁବନେଶ୍ୱର ଶ୍ରମିକ ସ୍ପେସିଆଲ ଟ୍ରେନ ରବିବାର ସକାଳ ୫ଟାରୁ ୬ ଟା ମଧ୍ୟରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନ ଠାରେ ଅଟକିବ। ସେଠାରେ ଦକ୍ଷିଣ ଓଡିଶାର ଯଥା, ଗଞ୍ଜାମ ଜିଲାର ୧୩୧ ଜଣ, କନ୍ଧମାଳର ୩୫୩, ବୌଦ୍ଧର ୬ ଜଣ, ରାୟଗଡାର ୧୭, ନବରଙ୍ଗପୁର ଜିଲାର ୩ ଏବଂ କୋରାପୁଟର ଜଣେ ଜଗନ୍ନାଥପୁର ଷ୍ଟେଶନରେ ଓହ୍ଲାଇବେ। ଅନ୍ୟମାନେ ଖୋର୍ଦ୍ଧା ଜଙ୍କଶନରେ ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଓହ୍ଲାଇବେ ବୋଲି ଜଣାପଡିଛି। ଘରବାହୁଡ଼ାମାନଙ୍କର ସ୍କ୍ରିନିଂ ପରେ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ । ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ, ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରମୁଖ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।