ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦ୍‌: ଧାରଣାରେ ବସିଲେ ଆବେଦନକାରୀ

ଖଇରା, ୧୮।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବହୁ ଗରିବ ପରିବାର ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦ୍‌ ପଡିଛନ୍ତି। ଏହାର ପ୍ରତିବାଦ କରି ଶତାଧିକ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ବସିଛନ୍ତି। ଯୋଗ୍ୟ ଆବେଦନକାରୀଙ୍କ ନାମ ଅନ୍ତର୍ଭୁକ୍ତ କରା ନ ଯିବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସୁଲୋଚନା ନାୟକ, ବୁଦ୍ଧିରାମ ନାୟକ, ରନତ୍ାକର ମହାନ୍ତି, ମୂରଲୀଧର ବେହେରା, ବାବାଜୀ ମହାନ୍ତି, ସୁଭଦ୍ରା ଜେନା, ଜୟନ୍ତୀ ଜେନା, ସୁଲୋଚନା ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ା
ଏହି ପଞ୍ଚାୟତରୁ ୬୪୬ ପରିବାର ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରିଥିଲେ। ଏଥିମଧ୍ୟରୁ ୫୩୦ପରିବାର ଏବିସି(ଯୋଗ୍ୟତା) ତାଲିକା ପ୍ରକାଶ ପାଇଥିଲା ା ହେଲେ ମାତ୍ର ଧାର୍ଯ୍ୟ ଦିବସ ୮ତାରିଖ ସୁଦ୍ଧା ୩୦୨ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିବାରୁ ବଞ୍ଚିତ ପରିବାରଗୁଡିକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ା ଧାର୍ଯ୍ୟ ତାରିଖ ଶେଷ ହୋଇଯିବା ପରେ ମଧ୍ୟ ବଞ୍ଚିତ ପରିବାରକୁ ସନ୍ତୁଷ୍ଟ କରିବା ପାଇଁ ନିର୍ବାହୀ ଅଧିକାରୀ ଫଟୋ ଉଠାଇବା ଘଟଣା ଗ୍ରାମବାସୀଙ୍କୁ ଆହୁରି କ୍ଷୁବ୍ଧ କରିଥିଲା। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ଯେତିକି ଯୋଗ୍ୟ ବ୍ୟକ୍ତି ସେମାନଙ୍କର ଫଟୋ ଉଠାଇ ପଞ୍ଜିକରଣ କରାଯାଇଛି ବୋଲି କହିଛନ୍ତି।