ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଆଲିଆ

ମୁମ୍ବାଇ: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଏହି ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବୁଧବାର ସୁଦ୍ଧା ଏହି ଭାଇରସ୍‌ରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୯୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଖାସ୍‌କରି ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରିଦିଆଯାଇଛି। ଫଳରେ ଅର୍ଥ ବ୍ୟବସ୍ଥା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଦିନମଜୁରିଆ ଏବଂ ତାଙ୍କ ପରିବାର। ଏହି ସମୟରେ ବଲିଉଡ୍‌ର କଳାକାରମାନେ ଜଣକ ପରେ ଜଣେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି ତାଲିକାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମ ସାମିଲ ହୋଇଛି। ଆଲିଆ ଏ ବିଷୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କରିଥିବା କହିଛନ୍ତି।
ଆଲିଆ କହିଛନ୍ତି, ଆମର କେନ୍ଦ୍ର ଓ ରାଜ୍ୟ ସରକାର କରୋନା ବିରୋଧରେ ଲଢ଼ିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯାହାକୁ ମୁଁ ସଲାମ କରୁଛି। ଏହି ଘଡ଼ସନ୍ଧି ମୁହୂର୍ତ୍ତରେ ସେ ଚୁପ୍‌ ରହିବାକୁ ପସନ୍ଦ କଲେ ନାହିଁ। ତେଣୁ ଆଗକୁ ଆସି ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ। କିନ୍ତୁ ଆଲିଆ କେତେ ଟଙ୍କା ସହାୟତା ଦେଇଛନ୍ତି ସେ ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି।

Share