ପ୍ରଦୂଷଣକୁ ନେଇ ତାତିଲେ ଗ୍ରାମବାସୀ

କେନ୍ଦୁଝର,୧୩ା୫(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଫୁଲଝର ଗ୍ରାମରେ ଥିବା ଏକ ପିଲେଟ କାରଖାନା ବିରୋଧରେ ଅସନ୍ତୋଷ ତେଜିଛି। ବୁଧବାର ମଲଦା ପଞ୍ଚାୟତର ଗ୍ରାମବାସୀ ପ୍ରଦୂଷଣ ରୋକିବା ସହ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଦାବିରେ ସାମାଜିକ ଦୂରତ୍ୱ ରକ୍ଷା କରି ଓ ମାସ୍କ ପିନ୍ଧି ଜିଲାପ୍ରଶାସନ ନିକଟରେ ଦାବିପତ୍ର ଦେଇଛନ୍ତି। ଫୁଲଝର ପଞ୍ଚାୟତରେ ଏହି କାରଖାନା ସ୍ଥାପିତ ହୋଇଥିଲେ ହେଁ ଏହାକୁ ଲାଗି ଥିବା ମଲଦା ପଞ୍ଚାୟତର ମଲଦା ଗ୍ରାମ ଦେଇ କାରଖାନାର କଞ୍ଚାମାଲ ଓ ପିଲେଟ ପରିବହନ ହେଉଛି। ଏଣୁ ରାସ୍ତା ଅସୁରକ୍ଷିତ ହୋଇପଡିବା ସହ ଧୂଳିଧୂଆଁ ପ୍ରଦୂଷଣ ହେଉଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ବହୁ ସଂଖ୍ୟାରେ ଲୁହାପଥର ଓ ପିଲେଟ ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବାରୁ ଅନ୍ଧାରୀଖମଣ, ଗୋଡୁଆଟୋପା, ମଲଦା ଆଦି ଗ୍ରାମବାସୀ ଧୂଳିଧୂଆଁରେ ହଇରାଣ ହେଉଥିବା କହିଛନ୍ତି। ସେହିପରି ରାସ୍ତାରେ ପିଲେଟ ଏଣେତେଣେ ପଡୁଥିବାରୁ ଦୁର୍ଘଟଣାର କାରଣ ହେଉଛି। କାରଖାନାର ଧୂଆଁ ଓ ବହୁ ସଂଖ୍ୟାରେ କାରଖାନାକୁ ଟ୍ରକ୍‌ ଚଳାଚଳ ଯୋଗୁ ଧୂଆଁ ଉଡି ଗ୍ରାମ ବାଡିବଗିଚା, ଜଳାଶୟ ତଥା ଘର ଉପରେ ପଡି ପ୍ରଦୂଷଣ ହେଉଥିବାରୁ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।