Categories: ଖେଳ

ପ୍ରଥମ କ୍ରିକେଟର ଏଲିସେ ପେରି

ବ୍ରିଗଟନ,୨୯।୭(ପିଟି)- ଟି୨୦ ଫର୍ମାଟ୍‌ରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ନେବାରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଏଲିସେ ପେରି ବିଶ୍ୱର ପ୍ରଥମ କ୍ରିକେଟର। ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପେରି ୪୭ ରନ୍‌ର ଅପରାଜିତ ଇନିଂସ ଖେଳିବା ଅବସରରେ ଏହି ସ୍ବତନ୍ତ୍ର ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ପେରୀଙ୍କ ବ୍ୟତୀତ ମେଗ୍‌ ଲାନ୍ନିଂ ୪୩* ରନ୍‌ର ବିଜୟୀ ଇନିଂସ ଯୋଗୁ ୧୨୨ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୭ ଉଇକେଟରେ ହାସଲ କରି ନେଇଥିଲା। ଅଲ୍‌ରାଉଣ୍ଡର ପେରି ଗତବର୍ଷ ନଭେମ୍ବରରେ ବିଶ୍ୱ ଟି୨୦ ଫାଇନାଲରେ ୧୦୦ତମ ଉଇକେଟ ହାତେଇ ଥିଲେ। ମୁଁ ରେକର୍ଡ ସମ୍ପର୍କରେ ଜାଣି ନ ଥିଲି। ଅନ୍ତର୍ଜାତୀୟ ସ୍ତରରେ ପୁରୁଷଙ୍କ ଭଳି ଅଧିକରୁ ଅଧିକ ଟି୨୦ ମ୍ୟାଚ୍‌ ଖେଳିବାକୁ ଇଚ୍ଛା ଥିଲା। ଆଉ ଏବେ ମୁଁ ୧୦୦ ମ୍ୟାଚ୍‌ ଖେଳିସାରିଛି। ଏଣୁ ଏଭଳି ମାଇଲଷ୍ଟୋନର ଅଧିକାରୀ ହୋଇପାରିଛି ବୋଲି ୨୮ ବର୍ଷୀୟା ପେରି କହିଛନ୍ତି। ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଏହି ମାଇଲଷ୍ଟୋନ ନିକଟତର ରହିଛନ୍ତି। ସେ ୧୪୧୬ ରନ୍‌ କରିବା ସହ ୯୮ ଉଇକେଟ ନେଇଛନ୍ତି। କିନ୍ତୁ ସେ ଅବସର ନେଇ ସାରିଥିବାରୁ ଆଉ ଏହି ସ୍ବତନ୍ତ୍ର ରେକର୍ଡ ହାତେଇ ପାରିବେ ନାହିଁ। ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ୧୪୭୧ ରନ୍‌ ଓ ୮୮ ଉଇକେଟ ସହ ପେରିଙ୍କ ପଛକୁ ରହିଛନ୍ତି। ଅଷ୍ଟ୍ରେଲିଆନ ମହିଳା ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଆଗୁଆ ୨-୦ ବ୍ୟବଧାନରେ ଜିତି ନେଇଛି।

Share