Categories: ଅନୁଗୋଳ

ପ୍ରତିଶ୍ରୁତି ପରେ ଅଟକଙ୍କୁ ଛାଡ଼ିଲେ ଚାଷୀ

ଛେଣ୍ଡିପଦା,୨୨ା୧୨(ସ୍ବ.ପ୍ର.) – କାଂଶବାଂଶ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ତଦାରଖ ପାଇଁ ଆସିଥିବା ଅଧିକାରୀମାନଙ୍କୁ ଶୁକ୍ରବାର ଛେଣ୍ଡିପଦା ବ୍ଲକ ବାଲିପଟା ପଞ୍ଚାୟତ ଅଞ୍ଚଳର ଚାଷୀ ଅଟକ ରଖିବା ସହ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଅଧିକାରୀମାନଙ୍କୁ ଛାଡ଼ି ଦେଇଥିଲେ। ପ୍ରକାଶ ଯେ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗଦୀଶ ଚନ୍ଦ୍ର ନାୟକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମଙ୍ଗୁଳୁ ଚରଣ ସିଂ, କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ ମେହେର ଓ ଭୁବନେଶ୍ୱରରୁ ଆସିଥିବା ଡ୍ୟାମ୍‌ ସେଫଟି ଅଧିକାରୀମାନେ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ତଦାରଖ କରି ଫେରୁଥିବା ବେଳେ ଚାଷୀମାନେ ସେମାନଙ୍କୁ ଅଟକାଇ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ ପ୍ରକଳ୍ପରେ ତିନି ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଜମିକୁ ପାଣି ମାଡିବା ତ ଦୂରର କଥା ପ୍ରକଳ୍ପରେ ଲାଗିଥିବା ଗେଟ୍‌ ଠିକ ନ ଥିବାରୁ ଜଳ ସଂରକ୍ଷଣ ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଖବରପାଇ ଛେଣ୍ଡିପଦା ପୋଲିସ ପହଞ୍ଚି ଚାଷୀମାନଙ୍କୁ ବୁଝାଶୁଝା କରିଥିଲା। ୭ ଦିନ ମଧ୍ୟରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ଅଧିକାରୀମାନଙ୍କୁ ଛାଡି ଦିଆଯାଇଥିଲା।