Categories: ଜାତୀୟ

ପ୍ରଜାପତି, ୪ ଆଇଏଏସ୍‌ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଉତ୍ତରପ୍ରଦେଶ (ୟୁପି) ଖଣି ଦୁର୍ନୀତି ଘଟଣାରେ ସିବିଆଇ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯେଉଁମାନଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଛି, ସେମାନେ ହେଲେ ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ପ୍ରଜାପତି, ତତ୍କାଳୀନ ପ୍ରମୁଖ ସଚିବ ଜିଓ୍ବେଶ ନନ୍ଦନ, ସ୍ବତନ୍ତ୍ର ସଚିବ ସନ୍ତୋଷ କୁମାର, ତତ୍କାଳୀନ ଜିଲାପାଳ ଅଭୟ ଏବଂ ବିବେକ।
ରାଜ୍ୟରେ ବାଲି ଉତ୍ତୋଳନ ପାଇଁ ଲିଜ୍‌ ନବୀକରଣ କିମ୍ବା ସାନି ଲିଜ୍‌ ନିମନ୍ତେ ସରକାର ୨୦୧୨ ମେ ୩୧ରେ ଇ-ଟେଣ୍ଡରିଂକୁ ବାଧ୍ୟତାମୂଳକ କରିଥିଲେ, ଯାହାକୁ ଆଲ୍ଲାହାବାଦ ହାଇକୋର୍ଟ ୨୦୧୩ ଜାନୁୟାରୀ ୨୯ରେ କାଏମ ରଖିଥିଲେ। ମନ୍ତ୍ରୀ ପ୍ରଜାପତିଙ୍କ ପ୍ରଭାବ ବଳରେ ଶିବ ସିଂ ଏବଂ ସୁଖରାଜ୍‌ ସେମାନଙ୍କ ଲିଜ୍‌ ନବୀକରଣ କରିବାରେ ସଫଳ ହୋଇଥିଲେ। ନନ୍ଦନ କୁମାର ଏବଂ ତତ୍କାଳୀନ ଫତେପୁର ଜିଲାପାଳ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ। ସରକାରଙ୍କ ଇ-ଟେଣ୍ଡରିଂ ନୀତି ବିରୋଧରେ ଲିଜ୍‌ର ନବୀକରଣ କରାଯାଇଥିଲା। ଦ୍ୱିତୀୟ ମାମଲାରେ ବିବେକ ଦେଓରିଆ ଜିଲାପାଳ ଥିବାବେଳେ ଶାର୍‌ଦା ଯାଦବଙ୍କ ଲିଜ୍‌ ନବୀକରଣ ଲାଗି ଅନୁମତି ଦେଇଥିଲେ। ଆଲ୍ଲାହାବାଦ ହାଇକୋର୍ଟ ଲିଜ୍‌ ନବୀକରଣ ଆବେଦନକୁ ଖାରଜ କରିବା ସତ୍ତ୍ୱେ ବିବେକ ଓ ଅନ୍ୟ ଅଧିକାରୀମାନଙ୍କ ଷଡ଼ଯନ୍ତ୍ର କ୍ରମେ ଯାଦବ ଏହା ହାସଲ କରିପାରିଥିଲେ। ସିବିଆଇ ଆଇଏଏସ୍‌ ଅଧିକାରୀ ଅଭୟ, ବିବେକଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ୧୨ଟି ସ୍ଥାନରେ ଥିବା ଘର ଉପରେ ଚଢ଼ାଉ କରିଥିଲା।

Share