ପୌର ପାଳିକାର ସ୍ବଚ୍ଛସାଥୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ :୩୬ ପଦବୀ, ୧୯୫ ଆବେଦନକାରୀ

ପାରାଦୀପ,୨୮ା୮(ସ୍ବ.ପ୍ର.): ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଏବେ ସରକାର ସ୍ବଚ୍ଛ ସାଥୀ ଓ ଓ୍ବାର୍ଡ ଅଫିସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ପାରାଦୀପ ପୌରାଞ୍ଚଳ ପାଇଁ ମଙ୍ଗଳବାର ସ୍ବଚ୍ଛ ସାଥୀ ପଦବୀ ନିମନ୍ତେ ସାକ୍ଷାତକାର ଆରମ୍ଭ ହୋଇଛି। ପୂର୍ବ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୧୯୫ ଜଣ ମହିଳା ଓ ଯୁବତୀ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ଏଥିରୁ ୧୯ ଓ୍ବାର୍ଡ ପାଇଁ ୨୯ ଜଣ ସ୍ବଚ୍ଛସାଥୀ ଓ ୭ ସୁପରଭାଇଜର ନିଯୁକ୍ତି ପାଇବେ। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ପୌର କାର୍ଯ୍ୟାଳୟରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ପୌରାଞ୍ଚଳରେ ରହୁଥିବା ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଏଥିରେ ଭାଗ ନେଇପାରିବେ। କିନ୍ତୁ ସାକ୍ଷାତକାର ଦେବାକୁ ମହିଳାଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଯୁବତୀ ଆସିଥିଲେ। ସେମାନଙ୍କ ଯୋଗ୍ୟତା ଯୁକ୍ତ ୨ ଓ ଯୁକ୍ତ ୩ ଥିଲେ ହେଁ ପଞ୍ଜିକୃତ ଏସ୍‌ଏଚ୍‌ଜିରେ ସେମାନେ ସାମିଲ ହୋଇଥିବା କାଗଜପତ୍ରରେ ଜଣାଇଛନ୍ତି, ଯାହାକି ବିଚାରକଙ୍କୁ ଅଡୁଆରେ ପକାଇଛି। ଯେଉଁ ଏସ୍‌ଏଚ୍‌ଜି ନାମ ସେମାନେ ଦର୍ଶାଇଛନ୍ତି, ସେମାନଙ୍କ ନାମ ପୌର ପାଳିକାରେ ଥିବା ଏସ୍‌ଏଚଜି ସଦସ୍ୟାଙ୍କ ତାଲିକାରେ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ପଡୁଛି। କେତେକ ଆଶାୟୀ ପୁରୁଣା ଏସ୍‌ଏଚ୍‌ଜିରେ ଚଳିତ ଅଗଷ୍ଟ ମାସରେ ନାମ ଯୋଡ଼ିଥିବା ରେକର୍ଡରୁ ଜଣାଯାଇଛି। ଏବେ ଏହି ନିଯୁକ୍ତି ସମ୍ପର୍କିତ କାଗଜପତ୍ରକୁ ୩ ଜଣିଆ କମିଟି ଯାଞ୍ଚ କରୁଛନ୍ତି। ସେମାନେ ହେଲେ ଡିଆରଡିଏ ଅଧିକାରୀ, ଡୁଡା ଅଧିକାରୀ ଓ ସିଡିପିଓ। ଜଣେ ପ୍ରାର୍ଥୀଙ୍କ ପାଇଁ ଯାଞ୍ଚ ପ୍ରକ୍ରିୟା ଓ ପ୍ରଶ୍ନୋତ୍ତର ସମୟ ସାପେକ୍ଷ ଥିବାରୁ ମଙ୍ଗଳବାର ସାକ୍ଷାତକାର ଶେଷ ହୋଇନାହିଁ। ଆଉ ଦିନେ କିମ୍ବା ଦୁଇଦିନ ହେବ ବୋଲି କୁହାଯାଇଛି। ଏଥିରୁ ଯୋଗ୍ୟ ପ୍ରାର୍ଥତ୍ନୀଙ୍କୁ ଆସନ୍ତା ୩୦ ତାରିଖ ସୁଦ୍ଧା ଚୟନ କରାଯିବ। ସୂଚନାଯୋଗ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଅଧୀନରେ ଏହି ସ୍ବଚ୍ଛସାଥୀମାନେ ପ୍ରତି ଓ୍ବାର୍ଡରେ ଆବର୍ଜନା ପରିଚାଳନା କରିବେ। କିପରି ଶୁଖିଲା ଆବର୍ଜନାକୁ ଅଲଗା କରି କବାଡିଆଙ୍କୁ ବିକ୍ରି କରାଯିବ ଓ ଓଦା ଆବର୍ଜନାକୁ ଖତ କରାଯିବ ସେହି କାମ ସ୍ବଚ୍ଛସାଥୀ କରିବେ। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାଶ୍‌ ରଖାଯାଇଛି। ଆଶାୟୀ ସେହି ଓ୍ବାର୍ଡର ବାସିନ୍ଦା ପ୍ରମାଣପତ୍ର ଓ ସ୍ବୟଂସହାୟିକା ଗୋଷ୍ଠୀ ସଦସ୍ୟା ହୋଇଥିବା ଅପରିହାର୍ଯ୍ୟ। ଏବେ ଯୁବତୀମାନେ ଏହି ସାକ୍ଷାତକାରରେ ଅଂଶଗ୍ରହଣ କରିବାକୁ ନେଇ କେତେଜଣ ଏସ୍‌ଏଚ୍‌ଜି ମହିଳା ଆପତ୍ତି ଉଠାଇଛନ୍ତି। ଏହି ସାକ୍ଷାତକାର ଶେଷ ପରେ ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇପାରେ ବୋଲି ଆଭାସ ମିଳୁଛି।