ପୌରପାଳିକା ପକ୍ଷରୁ ଉଠା ପରିବା ଦୋକାନୀଙ୍କୁ ସ୍ଥାନାନ୍ତର

ଯୋଡ଼ା,୨୫।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ପକ୍ଷରୁ ସହରର ମୁଖ୍ୟ ରାସ୍ତାକଡ଼ରେ ଥିବା ପରିବା ଦୋକାନୀଙ୍କୁ ସ୍ଥାନାନ୍ତର କରାଯାଇଛି। ରବିବାର ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ପୌରପାଳିକା ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଏହି ସ୍ଥାନାନ୍ତର କାର୍ଯ୍ୟ କରାଯାଇଥିଲା। ସୂଚନାଯୋଗ୍ୟ, ଉକ୍ତ ରାସ୍ତା କଡ଼ରେ ପରିବା ବ୍ୟବସାୟୀମାନେ ବସୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ମଧ୍ୟ ଘଟୁଥିଲା। ଏହାର ନିରାକରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ଗତ ୨୨ ତାରିଖରେ ଗୋପବନ୍ଧୁ ଦୈନିକ ବଜାର ମଧ୍ୟରେ ଥିବା ପରିବା ବ୍ୟବସାୟୀ ଓ ମାଛମାଂସ ଦୋକାନୀଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏହି ବୈଠକରେ ରାସ୍ତା କଡ଼ରେ ପରିବା ଦୋକାନଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିଲା। ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ରବିବାର ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି। ଉଠାଯାଇଥିବା ପରିବା ଦୋକାନୀମାନଙ୍କୁ ଏଣେ ତେଣେ ଯିବାକୁ ନ କହି ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରି ସେମାନଙ୍କୁ ଅବସ୍ଥାପିତ କରିବା ପାଇଁ ସେମାନେ ଦାବି କରିଛନ୍ତି।