ପୋଷାପ୍ରାଣୀ ଓ ଆଲର୍ଜି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ମୁଁ ଅନେକ ମାଆଙ୍କୁ ଭେଟିଛି ଯେଉଁମାନେ ନିଜ ପିଲାଙ୍କୁ ଖାଲି ପାଦରେ ଘରେ, ବାହାରେ ବା ପାର୍କରେ ଚାଲିବାକୁ, ଗେଣ୍ଡାଶାମୁକା ଛୁଇଁବାକୁ, ମାଟିକାଦୁଅ ହବାକୁ, ମୌସୁମୀ ବର୍ଷାରେ ଭିଜିବାକୁ, ପଶୁପକ୍ଷୀଙ୍କ ପାଖକୁ ଯିବାକୁ ବା କୌଣସି ପ୍ରାଣୀକୁ ପୋଷିବାକୁ ଦିଅନ୍ତି ନାହିଁ, କାରଣ ସେମାନଙ୍କର ଭୟ କାଳେ ସେଇ ବାଟ ଦେଇ ଜୀବାଣୁ ଆସିଯିବେ। ସେମାନଙ୍କ ପିଲା ବର୍ଷସାରା ମୋଜା ପିନ୍ଧନ୍ତି। ଘର ଭିତରେ ଚାଙ୍ଗୁଡ଼ିରେ ରଖା ହୋଇଥିବା ଫୁଲ କେଉଁ ଗଛରୁ ଆସିଛି, ସେ ବିଷୟରେ ସେମାନଙ୍କର କିଛି ଧାରଣା ନ ଥାଏ। ଏତେ ସୁରକ୍ଷା ଭିତରେ ଥାଇ ମଧ୍ୟ ଏହି ପିଲାମାନେ ଅନ୍ୟ ପିଲାଙ୍କଠାରୁ ବେଶି ରୋଗରେ ପଡ଼ନ୍ତି।
ଅନେକ ଦଶନ୍ଧି ଧରି ଶିଶୁରୋଗ ଚିକିତ୍ସକମାନେ ମାଆମାନଙ୍କୁ ଚେତାବନୀ ଦେଇ ଆସୁଛନ୍ତି, ନିଜ ପିଲାଙ୍କୁ ଯଦି ଆଲର୍ଜିଠାରୁ ଦୂରରେ ରଖିବାକୁ ଚାହୁଁଛ, ତେବେ ପଶୁମାନଙ୍କୁ ଘର ବାହାରେ ରଖ। କିନ୍ତୁ ୨୦୦୦ ଦଶକ ପ୍ରାରମ୍ଭ ସୁଦ୍ଧା ଅନେକ ଗବେଷଣାରୁ ଠିକ୍‌ ତା’ର ଓଲଟା କଥା ଜଣାପଡ଼ିଛି- ପିଲାମାନେ କଅଁଳ ବୟସରେ ପ୍ରାଣୀମାନଙ୍କ ସଂସ୍ପର୍ଶରେ ଆସିଲେ ସେମାନେ ଆଲର୍ଜିକ୍‌ ରାଇନାଇଟିସ୍‌ (ହେ ଫିଭର), ଆଜ୍‌ମା (ଶ୍ୱାସରୋଗ) ଓ ଏକ୍‌ଜିମା (ବିଇଞ୍ଚ୍‌) ପରି ରୋଗଠାରୁ ଅଧିକ ସୁରକ୍ଷା ପାଇଥାନ୍ତି। ୨୦୧୧ରେ ଏହିପରି ୯ଟି ଅନୁଧ୍ୟାନର ବିଶ୍ଳେଷଣ କରିବାରୁ ସେଥିରୁ ୬ଟି କ୍ଷେତ୍ରରେ ଜଣାପଡ଼ିଲା ଯେ ଜନ୍ମ ପରେ ପରେ କୁକୁର ଓ ବିରାଡ଼ିଙ୍କ ସଂସ୍ପର୍ଶରେ ଆସିଥିବା ପିଲାମାନଙ୍କଠାରେ ଇମ୍ୟୁନୋଗ୍ଲୋବ୍ୟୁଲିନ୍‌ ଇ ଆଣ୍ଟିବଡିର ସ୍ତର କମ୍‌ ଥାଏ ଏବଂ ସେମାନଙ୍କୁ ୧୫ରୁ ୨୧ ପ୍ରତିଶତ କମ୍‌ ଏକ୍‌ଜିମା ହୋଇଥାଏ।
ବିଂଶ ଶତାବ୍ଦୀରୁ ଆଲର୍ଜି ହାର ବଢ଼ି ବଢ଼ି ଚାଲିଛି। ଏପରି କି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍ସନର ତଥ୍ୟ ଅନୁସାରେ ଆମେରିକା ପରି ଦେଶରେ, ଯେଉଁଠି ପିଲାମାନେ କେବେ ବି ଅପପୁଷ୍ଟିର ଶିକାର ହୁଅନ୍ତିନି, ସେଠାରେ ୮ରୁ ୧୦ ପ୍ରତିଶତ ପିଲାଙ୍କଠାରେ ଆଜ୍‌ମା ରହିଥାଏ। ଆଜ୍‌ମା ହେଉଛି ଏକ କ୍ରନିକ୍‌ ଫୁସ୍‌ଫୁସ୍‌ ରୋଗ, ଯାହା ଫୁଲିଯାଇ ଶ୍ୱାସନଳୀର ବାଟକୁ ସଂକୀର୍ଣ୍ଣ କରିଦିଏ। ଏଥିରୁ ଶ୍ୱାସ, କାଶ, ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ, ଧଇଁ ପେଲିହେବା ପରି ଲକ୍ଷଣ ପ୍ରକାଶ ପାଏ। ପାରମ୍ପରିକ ଜ୍ଞାନ କହୁଛି ଯେ, ଘରେ ଆଲର୍ଜିକାରକ ଉପାଦାନଗୁଡ଼ିକର ମାତ୍ରା କମେଇଦେଲେ ଆଜ୍‌ମାର ଲକ୍ଷଣ ମଧ୍ୟ ହ୍ରାସ ପାଇବ।
ତେବେ ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଆଣ୍ଡ୍‌ ଇନ୍‌ଫେକ୍‌ଶିୟମ୍‌ ଡିଜିଜେସ୍‌ (NIAID)ର ଆର୍ଥିକ ସହାୟତାରେ କରାଯାଇଥିବା ସହରୀ ପରିବେଶ ଓ ଶୈଶବ ଆଜ୍‌ମା (URECA) ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଜ୍‌ମା ଆରମ୍ଭ ହେବା ପୂର୍ବରୁ ପିଲାମାନେ କେତେକ ଆଲର୍ଜିକାରକ ଓ ବୀଜାଣୁ ସଂସ୍ପର୍ଶରେ ଆସିଲେ ପରବର୍ତ୍ତୀ ସମୟରେ ସେମାନେ ଆଜ୍‌ମାର ଶିକାର କମ୍‌ ହିଁ ହୋଇଥାନ୍ତି। ସେମାନଙ୍କର ଏହି ଅନୁଧ୍ୟାନର ଫଳାଫଳ ୨୦୧୭ର ଜର୍ନାଲ ଅଫ୍‌ ଆଲର୍ଜି ଆଣ୍ଡ୍‌ କ୍ଳିନିକାଲ୍‌ ଇମ୍ୟୁନୋଲୋଜିରେ ପ୍ରକାଶ ପାଇଛି।
ଏହି ଅଧ୍ୟୟନରେ ୪୪୨ ଜଣ ପିଲାଙ୍କୁ ନିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୧୩୦ ଜଣଙ୍କୁ (୨୯%) ୭ ବର୍ଷ ବୟସରେ ଆଜ୍‌ମା ହୋଇଥିଲା। ଆଶ୍ଚର୍ଯ୍ୟର କଥା ଯେଉଁମାନଙ୍କୁ ଆଜ୍‌ମା ହୋଇ ନ ଥିଲା, ୩ ମାସରୁ ୩ ବର୍ଷ ବୟସ ପର୍ଯ୍ୟନ୍ତ ସେମାନଙ୍କ ଘର ପରିବେଶର ବାଲି ଓ ଧୂଳିର ନମୁନାରୁ ଅଧିକ ପରିମାଣର ଅସରପା, ମୂଷା ଓ ବିରାଡ଼ି/କୁକୁରଙ୍କଠାରେ ଦେଖାଯାଉଥିବା ଜୀବାଣୁ ମିଳିଥିଲା। ତେଣୁ URECAର ମୁଖ୍ୟ ଗବେଷକ କହିଛନ୍ତି ଯେ ତାଙ୍କ ପର୍ଯ୍ୟବେକ୍ଷଣ ଅନୁସାରେ ଛୋଟ ବୟସରେ ପିଲାଙ୍କ ଘରୋଇ ପରିବେଶରେ ଅଧିକ ପରିମାଣରେ ଆଲର୍ଜିକାରକ ଓ ବୀଜାଣୁ ଥିଲେ ସେହି ପିଲାମାନେ ପରବର୍ତ୍ତୀ ସମୟରେ ଆଜ୍‌ମା ଭୋଗିବାର ସମ୍ଭାବନା କମ୍‌ ଥାଏ। କାରଣ ଏହି ବୀଜାଣୁମାନଙ୍କ ସଂସ୍ପର୍ଶରେ ଆସିଲେ ପିଲାଙ୍କଠାରେ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ।
ଫିନ୍‌ଲାଣ୍ଡର କୋପିଓ ୟୁନିଭର୍ସିଟି ହସ୍ପିଟାଲର ଗବେଷକମାନେ ପେଡିୟାଟ୍ରିକ୍ସ ପତ୍ରିକାରେ ଲେଖିଛନ୍ତି ଯେ ଯେଉଁ ପିଲମାନେ ଘରେ କୁକୁର ବା ବିରାଡ଼ିଙ୍କ ସହ ବଢ଼ିଥାନ୍ତି, ସେମାନେ ପୋଷାପଶୁ-ବିହୀନ ଘରର ପିଲାଙ୍କ ଅପେକ୍ଷା କମ୍‌ ଆଲର୍ଜିର ଶିକାର ହୁଅନ୍ତି। ପୋଷାପଶୁ ଥିବା ଘରର ପିଲାମାନେ ଅପେକ୍ଷାକୃତ ସୁସ୍ଥ ରହନ୍ତି ବୋଲି ସେମାନେ ଗବେଷଣାରୁ ଜାଣିପାରିଛନ୍ତି। ସେମାନେ ପୁଣି ଲେଖିଛନ୍ତି ଯେଉଁମାନଙ୍କ ପୋଷାପଶୁ କେବଳ ଘର ଭିତରେ ରହନ୍ତି, ସେମାନଙ୍କ ଅପେକ୍ଷା ଯେଉଁମାନଙ୍କ ପୋଷାପଶୁ ବାହାରକୁ ଯାଇ ଅଧିକ ଜୀବାଣୁ ସଂସ୍ପର୍ଶରେ ଆସି ଘରକୁ ଫେରନ୍ତି, ସେହି ଘରର ପିଲାମାନେ ଅଧିକ ସୁସ୍ଥ ରହନ୍ତି।
ମାଇକ୍ରୋବାୟୋମ୍‌ ପତ୍ରିକାରେ ପ୍ରକାଶିତ ଆଲବର୍ଟା ବିଶ୍ୱବିଦ୍ୟାଳୟର ଗବେଷଣା ତଥ୍ୟ ଅନୁସାରେ ଯେଉଁ ଶିଶୁମାନେ ଧୂଳି, ଧୂସ ଓ ପୋଷାପଶୁଙ୍କ ବୀଜାଣୁଙ୍କ ସଂସ୍ପର୍ଶରେ ଅଧିକ ଆସନ୍ତି ସେମାନଙ୍କ ପାକସ୍ଥଳୀରେ ଦୁଇପ୍ରକାର ଅଣୁଜୀବ ଦେଖାଯାନ୍ତି, ଯେଉଁମାନଙ୍କର କମ୍‌ ଆଲର୍ଜି ଓ କମ୍‌ ମେଦବହୁଳତା ସହ ସମ୍ବନ୍ଧ ରହିଛି। ଏହି ଗବେଷକମାନେ ପୁଣି ଜଣାଇଛନ୍ତି ଯେ ଯେଉଁମାନଙ୍କ ଘରେ ପୋଷାପଶୁ ଥାନ୍ତି, ସେ ଘରର ମାଆମାନେ ଗର୍ଭାବସ୍ଥାରେ ଷ୍ଟ୍ରେପ୍‌ ସଂକ୍ରମଣର ଶିକାର କମ୍‌ ହୁଅନ୍ତି। ଏହି ସଂକ୍ରମଣଯୁକ୍ତ ମାଆମାନଙ୍କ ନବଜାତ ଶିଶୁ ନ୍ୟୁମୋନିଆରେ ପୀଡ଼ିତ ହେବାର ଦେଖାଯାଏ।
ସାନ୍‌ ଡିଏଗୋ ନାଇଟ୍‌ ଲାବ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମଣିଷଙ୍କଠାରେ ଦେଖାଯାଉଥିବା ଅଣୁଜୀବଙ୍କ ଉପରେ ସବୁଠାରୁ ବଡ଼ ଗବେଷଣା କରୁଛନ୍ତି। ସେମାନେ କହିଛନ୍ତି ଯେ ଯେଉଁ ଘରେ କୁକୁର ଥାନ୍ତି, ସେ ଘରର ଲୋକମାନେ ଜୀବାଣୁଙ୍କଠାରୁ ଅଧିକ ସୁରକ୍ଷା ପାଆନ୍ତି। ଜୀବାଣୁମାନଙ୍କ ସଂସ୍ପର୍ଶରେ ଆଦୌ ନ ଆସିଲେ ମଣିଷର ଶରୀର ଉପକାରୀ ଓ କ୍ଷତିକାରକ ଜୀବାଣୁଙ୍କ ଭିତରେ ଥିବା ଫରକ ଜାଣିପାରେ ନାହିଁ। ଏକ ଡଜନରୁ ଅଧିକ ଅନୁଧ୍ୟାନ ପରେ ଗବେଷକମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।
୨୦୧୦ରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯେଉଁ ଘରେ କୁକୁର ଥାନ୍ତି, ସେ ଘରେ ଅଧିକ ଜୀବାଣୁ ଥାନ୍ତି। ସେହି ଘରର ଧୂଳି ସଂସ୍ପର୍ଶରେ ଆସୁଥିବା ମୂଷାମାନେ ଆଲର୍ଜିକାରକଗୁଡ଼ିକଠାରୁ ଅଧିକ ସୁରକ୍ଷା ପାଉଥିବାର ଦେଖାଯାଇଛି। ୨୦୧୬ରେ ବୈଜ୍ଞାନିକମାନେ ୩୦୮ ଶିଶୁଙ୍କ ମଳ ପରୀକ୍ଷା କରି ଦେଖିଲେ ଯେ, ଯେଉଁ ଶିଶୁଙ୍କ ଘରେ କୁକୁର ନାହିଁ, ସେମାନଙ୍କ ମଳରେ ଆଲର୍ଜି ଓ ଆଜ୍‌ମାକାରକ ଜୀବାଣୁ ଅଧିକ ସଂଖ୍ୟାରେ ରହିଛନ୍ତି। ସ୍ବିଡେନର ଗୋଟେନ୍‌ବର୍ଗ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଆଉ ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ଘରେ ଅଧିକ ସଂଖ୍ୟକ ପୋଷାପଶୁ ରହିଛନ୍ତି, ସେମାନଙ୍କ ପିଲା ଅଧିକ ରୋଗମୁକ୍ତ ରହିଥାନ୍ତି। ଏଥିରୁ ଜଣାପଡ଼ୁଛି ଯେ ଘରେ ଏକରୁ ଅଧିକ ପୋଷାପଶୁ ରଖିବା ଦ୍ୱାରା ପିଲାମାନଙ୍କ ରୋଗନିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
ଘରେ ପୋଷାପଶୁ ରଖିବା ଗର୍ଭବତୀ ମାଆମାନଙ୍କ ପେଟରେ ବଢ଼ୁଥିବା ଶିଶୁ ପାଇଁ ଲାଭଦାୟକ ହୁଏ କି? ୨୦୦୯ରେ ୟୁରୋପରେ କରାଯାଇଥିବା ଏକ ଗବେଷଣାରୁ ଏହାର ଅସ୍ତିବାଚକ ଉତ୍ତର ମିଳିଛି। ଗବେଷକମାନେ ଫାର୍ମ ପଶୁଙ୍କ ସଂସ୍ପର୍ଶରେ ଆସୁଥିବା ମାଆମାନଙ୍କ ଗର୍ଭସ୍ଥ ଶିଶୁଙ୍କ ନାହିନାଡ଼ର ରକ୍ତ ପରୀକ୍ଷା କରି ଦେଖିଛନ୍ତି ଯେ, ଏଥିରେ ଅଧିକ ସକ୍ରିୟ ରୋଗନିରୋଧକ କ୍ଷମତାବିଶିଷ୍ଟ କୋଷ ରହିଛି। ଏଥିରୁ ଜଣାପଡ଼ୁଛି ଯେ ଏହି ମାଆମାନଙ୍କ ପେଟରେ ଥିବା ଅଣୁଜୀବମାନେ ପିଲାର ଉପକାର କରୁଛନ୍ତି।
ଆମେ ଅନେକ ବର୍ଷ ହେଲା ଜାଣିଛୁ ଯେ ଘରେ କୁକୁର ରଖିବା ପିଲାର ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ। ବର୍ତ୍ତମାନ ଆମେ ଜାଣିଲୁ ଯେ ଏହା ଶାରୀରିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭଲ। ପୋଷାଜୀବମାନେ ଆଲର୍ଜିଠାରୁ ପିଲାଙ୍କୁ ଦୂରରେ ରଖନ୍ତି। ପ୍ରାଣୀଙ୍କ ସଂସ୍ପର୍ଶରେ ଆସିଲେ ପିଲାର ରୋଗନିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଆପଣ ପିଲାକୁ ଯେତେ କୁକୁର ବା ବିରାଡ଼ିଙ୍କ ସଂସ୍ପର୍ଶରେ ଆଣିବେ, ପିଲା ସେତେ ଆଜ୍‌ମା, ଏକ୍‌ଜିମା, ହେ ଫିଭର (ଆଲର୍ଜିକ ରାଇନାଇଟିସ୍‌) ପ୍ରଭୃତିଠାରୁ ଦୂରରେ ରହିପାରିବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri