ପୋଲିସ ସମ୍ମୁଖରୁ ଚମ୍ପଟ ମାରିଲେ ମୁଖ୍ୟ ଗୁଟ୍‌ଖା ବ୍ୟବସାୟୀ, ୨ ମୋଟରସାଇକେଲ ଜବତ; ୩ ଗିରଫ

ପୁରୁଷୋତ୍ତମପୁର,୧୪ା୫(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ପ୍ରଶାସନ ପକ୍ଷରୁ ଗୁଟ୍‌ଖା ପରି ମାଦକ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏହି କଟକଣାକୁ ଉଲ୍ଲଂଘନ କରି ଜନୈକ ବ୍ୟବସାୟୀ ଦୀର୍ଘଦିନ ହେଲା ଚଢ଼ାଦରରେ ବେଆଇନ ଭାବେ କାରବାର ଚଳାଇ ଆସୁଥିଲେ। ପୋଲିସ ପକ୍ଷରୁ ଗୁରୁବାର ଧୋବାସାହି ଛକନିକଟରେ ଗୁଟ୍‌ଖା ବିକ୍ରି ଚାଲିଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ଏହି ସମୟରେ ମାଷ୍ଟରମାଇଣ୍ଡ୍‌ ତଥା ମୁଖ୍ୟ ବ୍ୟବସାୟୀ ଜଣକ ସର୍ବସମ୍ମୁଖରେ ଘଟଣାସ୍ଥଳରୁ କୌଶଳ କ୍ରମେ ଚମ୍ପଟ ମାରିଛନ୍ତି। ଯାହାକି ଉପସ୍ଥିତ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଅନ୍ୟ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଟ୍‌କା, ତବାଖୁ ପୁଡିଆ ସହ ୨ଟି ମୋଟରସାଇକେଲ ଜବତ କରିଛି॥ ଗିରଫ ଯୁବକମାନେ ହେଲେ ପୁରୁଷୋତ୍ତମପୁରର ପୂର୍ଣ୍ଣଚନ୍ଦ୍ର ପାଳ, ଗୋଠିଆଳି ଗ୍ରାମର ଏସ୍‌. ଜୟସେନ୍‌ ପାତ୍ର ଓ ଚଢ଼େୟାପଲ୍ଲୀର ଇ. ଉମାଶଙ୍କର ସେନାପତି । ଏହାକୁ ନେଇ କେସ୍‌ ନଂ. ୧୧୩/୨୦ ରୁଜୁ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ଚମ୍ପଟ ମାରିଥିବାର କୁହାଯାଉଛି ତାହାର ତଦନ୍ତ କରି ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।