ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା: ଯବାନମାନଙ୍କ ସମସ୍ୟା ପଚାରି ବୁଝିଲେ

ମାଲକାନଗିରି,୨।୧୧(ଡି.ଏନ୍‌.ଏ.) : ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଶନିବାର ମାଲକାନଗିରି ଜିଲା ଗସ୍ତରେ ଆସି ମାଓବାଦୀ ଦମନ ନେଇ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଜିଲା ପୋଲିସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ଶର୍ମା ଜିଲାର ଯବାନମାନଙ୍କ ମନୋବଳ କିଭଳି ରହିଛି ଓ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲାରେ କାର୍ଯ୍ୟରତ ପୋଲିସ, ଏସ୍‌ଓଜି, ବିଏସ୍‌ଏଫ୍‌ ଓ ଡିଭିଏଫ୍‌ ଯବାନଙ୍କ ମଧ୍ୟରେ କିଭଳି ସମନ୍ବୟ ରହିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହାପରେ ମୋ’ ସରକାର ସମ୍ପର୍କିତ ବୈଠକରେ ଯୋଗ ଦେଇ ଥାନାରେ ସ୍ବଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ରାଧାକ୍ରିଷ୍ଣନ ଶର୍ମା, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆଇନଶୃଙ୍ଖଳା ଆର୍‌ପି. କୋଚେ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ, ମାଲକାନଗିରି ଏ୍‌ସପି ଋଷିକେଶ ଡି ଖିଲାରୀଙ୍କ ସମେତ ବିଏସ୍‌ଏଫ୍‌ର ବରିଷ୍ଠ ଅଧକାରୀ ଏବଂ ଜିଲା ପୋଲିସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।