ପୋଲିସ ଫୋର୍ସ ବଳୟରେ ପାଚେରି କାମ ଆରମ୍ଭ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ ଟେକ୍ନୋଲଜିର ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟ ସ୍ଥାପନକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି ା ଅପରପକ୍ଷରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ମଙ୍ଗଳବାରଠାରୁ ପ୍ଲାଣ୍ଟର ପାଚେରି କାମ ଆରମ୍ଭ ହୋଇଛି। ଏ ନେଇ ସ୍ଥାନୀୟ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ବେଆଇନ୍‌ ବୋଲି କହିଛନ୍ତି।
ରାସାୟନିକ ପ୍ଲାଣ୍ଟ ହେଲେ ସେଥିରୁ ନିର୍ଗତ ବିଷାକ୍ତ ଗ୍ୟାସରେ ସ୍ଥାନୀୟ ୧୮ଟି ଗାଁର ଲୋକେ ବିଶେଷ ପ୍ରଭାବିତ ହେବେ ବୋଲି ଆଶଙ୍କା କରି ଲୋକେ ଗତବର୍ଷ ଜୁନ୍‌ ମାସରୁ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଆସୁଛନ୍ତି। ଛତ୍ରପୁର ତହସିଲଦାର ମଙ୍ଗଳବାର ମଧ୍ୟାହ୍ନରେ ଗାଁରେ ପହଞ୍ଚି ଏକ ପ୍ରତିନିଧି ଦଳର ରୁଦ୍ଧଦ୍ୱାର ବୈଠକ କରିଥିଲେ ା ତେବେ ସେଥିରୁ କିଛି ନିଷ୍କର୍ଷ ବାହାରିପାରିନି। ପୂର୍ବଭଳି ଉକ୍ତ କମ୍ପାନୀ ପ୍ରତିଷ୍ଠାକୁ ବିରୋଧ ଜାରି ରହିବ ବୋଲି ଗ୍ରାମ କମିଟି ପକ୍ଷରୁ କୁହାଯାଇଛି ା ଅପରାହ୍ନରେ ଗାଁରେ ଏକ ବୈଠକ ବସି ଏହା ଉପରେ ଆଲୋଚନା ହୋଇଛି ା ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଉକ୍ତ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ୪ ତାରିଖରେ ତ୍ରିପାକ୍ଷିକ ଆଲୋଚନା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ା ସେଥିରୁ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ୭ ଦିନ ମଧ୍ୟରେ ନିଷ୍ପତ୍ତି ଜଣାଇବାକୁ ଜିଲାପାଳ ପରାମର୍ଶ ଦେଇଥିଲେ ା