ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ:୨ ବାଇକ୍‌, ୨୦ ହଜାର ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୪ା୫-ଦୀର୍ଘ ବର୍ଷ ଧରି ସହରରେ ବିିଭିନ୍ନ ଥାନା ଇଲାକାରେ ମହିଳାଙ୍କ ବେକରୁ ହାର ଲୁଟି ନେଉଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ୍‌ କରିଛି। ୪ ଜଣିଆ ଗ୍ୟାଙ୍ଗ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଆସିକା ଝଗଡ଼ାଇ ଅଞ୍ଚଳରୁ ରବିବାର ରାତିରେ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର ଥିବା ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ପୋଲିସ ସେମାନଙ୍କ ନିକଟରୁ ଘଟଣା ବେଳେ ଦୁଇଟି ବାଇକ୍‌ ଓ ୨୦ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ ଆସିକା ଥାନା ଝଗଡ଼ାଇ ଅଞ୍ଚଳର ଏ. ଗଣେଶ ଦାସ, ଏ. ଦୁର୍ଗା ଦାସ ଓ ନରସିଂହ ଦାସ। ଅଭିଯୁକ୍ତମାନଙ୍କୁ ବଡ଼ବଜାର ଥାନା କେସ୍‌ ନଂ ୯୯/୨୦ରେ ସୋମବାର କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଏରଗୁଲା ସମ୍ପ୍ରଦାୟର ହୋଇଥିବା ବେଳେ ସେମାନେ ରାଜ୍ୟ ଓ ବାହାରେ ମଧ୍ୟ ଏଭଳି କାଣ୍ଡ ଘଟାଇଥିବା ପୋଲିସ ଜେରା ବେଳେ ଜାଣିବାକୁ ପାଇଛି। ଏପରିକି କେରଳ ଓ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ଗ୍ୟାଙ୍ଗ ଲୁଟତରାଜ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏପ୍ରିଲ ୨୬ ଅକ୍ଷୟ ତୃତୀୟା ଦିନ ବଡ଼ବଜାର ଥାନା ଅନ୍ତର୍ଗତ ଗଣପତି ନଗର ଅଞ୍ଚଳର ଏସ୍‌. ଭାଗ୍ୟଲକ୍ଷ୍ମୀ ମନ୍ଦିରରୁ ଫେରୁଥିବା ବେଳେ ଦୁଇଟି ବାଇକ୍‌ରେ ଆସି ୪ ଜଣ ଯୁବକ ତାଙ୍କ ବେକରୁ ହାର ଝାମ୍ପି ନେଇଥିଲେ। ପରେ ଥାନାରେ ଅଭିଯୋଗ ହୋଇଥିଲା।