ପୋଲିସର ମନମୁଖୀ ଶାସନକୁ ବିରୋଧ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀଙ୍କ ଧାରଣା

ଭଟ୍‌ଲି, ୨।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ପୋଲିସର ମନମୁଖୀ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଭଟଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀମାନେ। ଏ ନେଇ ସେମାବାର ସେମାନେ କଲମ ଛାଡ ଆନ୍ଦୋଳନ କରିବା ସହିତ ଅଫିସ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ। ତେବେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଧାରଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ। ପରେ ଜିଲାପାଳ ପ୍ରଧାନ କର୍ମଚାରୀଙ୍କୁ ଡାକି ଘଟଣା ସମ୍ପର୍କରେ ବୁଝାଇବା ସହ ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପ୍ରକାଶ ଯେ, ଗତ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟରେ ଖର୍ସଳ ଗ୍ରାମର ୭ ଯୁବକ ପହଞ୍ଚି ବିଡିଓ ସୁରେନ୍ଦ୍ର କୁମାର ସେଠୀଙ୍କ ନାମରେ ଜାତିକୁ ନେଇ ଗାଳିଗୁଲଜ କରବା ସହ ଧମକ ଦେଇଥିଲେ। ତେବେ ବିଡିଓ ଅଫିସରେ ଉପସ୍ଥିତ ନ ଥିବା ବେଳେ ସେମାନେ କମ୍ପ୍ୟୁଟର ଗୃହକୁ ଯାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ବିଡିଓ ଆସି ଘଟଣା ସମ୍ପର୍କରେ ଜାଣିବା ପରେ ଭଟଲି ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାର ତଦନ୍ତ ଦାୟିତ୍ୱ ବରଗଡ଼ ଏସ୍‌ଡିପିଓ ସୁଧାକର ସାହୁ ନିଜେ ନେବା ସହ ଏକ ମାମଲାରୁଜୁକରି ଅଭିଯୁକ୍ତମାନଙ୍କୁ ଭଟଲି ଥାନାକୁ ଆଣି ଜେରା କରିଥିଲେ। ପରବର୍ତ୍ତି ସମୟରେ ଜାମିନରେ ଛାଡି ଦେଇଥିଲେ। ଏ ବିଷୟରେ ଶୁଣି ବିଡିଓ ସେଠୀ ଏସ୍‌ଡିପିଓ ସାହୁଙ୍କୁ କହିବାରୁ ଏସ୍‌ଡିପିଓ ମଧ୍ୟ ବିଡିଓଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ରବିବାର ଜିଲା ଓଏଏସ୍‌ ସଂଘର ଏକ ବୈଠକ ବରଗଡ଼ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏସ୍‌ଡିପିଓ ସାହୁଙ୍କ ବ୍ୟବହାରକୁ ନିନ୍ଦା କରାଯାଇଥିଲା।