Categories: ବାଣିଜ୍ୟ

ପେଟ୍ରୋଲ ଉପରେ ୨୭୫% ଟିକସ

ନୂଆଦିଲ୍ଲୀ,୧୦।୬: ଗତ ୩ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ହେଉଛି। ପ୍ରାୟ ୮୩ ଦିନ ପରେ ଜୁନ୍‌ ୭ରେ ଇନ୍ଧନ ଦରରେ ପରିବର୍ତ୍ତନ ଆସିଛି। ଗତ ୩ ଦିନରେ ପେଟ୍ରୋଲର ଲିଟର ପିଛା ଦର ୧.୮୦ ଟଙ୍କା ବଢିଥିବା ବେଳେ ଡିଜେଲ ଦର ମଧ୍ୟ ପ୍ରାୟ ପରିମାଣର ବୃଦ୍ଧି ଘଟିଥିବା ଜଣାପଡିଛି। ଗତ ୩ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ଥିବା ଟିକସ ୩ ଗୁଣା ବା ୨୭୫% ବଢ଼ିଥିବା ଜଣାପଡିଛି। ଫେବୃୟାରୀରେ ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ଏବଂ କେନ୍ଦ୍ର ନେଉଥିବା ଟିକସର ପରିମାଣ ପ୍ରାୟ ୧୦୭% ରହିଥିଲା। ଏହା ବର୍ତ୍ତମାନ ୨୭୫%କୁ ବୃଦ୍ଧି ଘଟିଛି। ପେଟ୍ରୋଲର ବେସ୍‌ ପ୍ରାଇସ ବା ମୂଳ ମୂଲ୍ୟ ପ୍ରାୟ ୧୮ ଟଙ୍କା ରହିଛି। ଏହା ଉପରେ ୫୦ ଟଙ୍କାର ଟିକସ ଲାଗୁଛି। ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ଦର ୭୨ ଟଙ୍କା ରହିଛି।
ଦେଶର ମହାନଗରଗୁଡ଼ିକରେ ପେଟ୍ରୋଲର ଲିଟର ପିଛା ହାରାହାରି ମୂଲ୍ୟ ୭୨ ଟଙ୍କା ରହିଛି। ଲିଟର ପିଛା ୧୮ ଟଙ୍କାର ବେସ୍‌ ମୂଲ୍ୟ ରହିଥିବା ବେଳେ ଉତ୍ପାଦ ଟିକସ ବାବଦ ୩୩ ଟଙ୍କା ଏବଂ ଭାଲ୍ୟୁ ଆଡେଡ୍‌ ଟାସ୍କ(ଭାଟ୍‌) ବାବଦ ୧୬ ଟଙ୍କା ଲାଗୁ ହେଉଛି। ଇନ୍ଧନ ଉପରେ ପେଟ୍ରୋଲ ପମ୍ପରେ ଗ୍ରାହକ ଯେତେ ପରିମାଣର ମୂଲ୍ୟ ପ୍ରଦାନ କରନ୍ତି କେବଳ ତା’ର ୭୦% ଅଂଶ ଉତ୍ପାଦ ଟିକସ ଏବଂ ଭାଟ୍‌ ରହିଛି। ସାରା ବିଶ୍ୱରେ ଏହା ସବୁଠାରୁ ଅଧିକ ରହିଛି। ବିକଶିତ ଅର୍ଥ ବ୍ୟବସ୍ଥାଗୁଡିକ କଥା ବିଚାର କଲେ ଆମେରିକାରେ ୧୯% ଟିକସ ଲାଗୁ ହେଉଛି। ସେହିଭଳି ଜାପାନରେ ୪୭%, ଇଂଲଣ୍ଡରେ ୬୨% ଏବଂ ଫ୍ରାନ୍ସରେ ୬୩% ଟିକସ ଲାଗୁ ହେଉଛି। ରେଟିଂ ଏଜେନ୍ସି କେୟାର ରେଟିଙ୍ଗସ ପକ୍ଷରୁ କୁହାଯାଇଛି ଯେ, ଅଶୋଧିତ ତୈଳ ଦର ହ୍ରାସ ଫାଇଦା ଗ୍ରାହକଙ୍କୁ କେବେ ପ୍ରଦାନ କରାଯାଇ ନାହିଁ। ଏପ୍ରିଲ ମାସରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨୦ ଡଲାର ରହିଥିଲା। ଏହା ପୂର୍ବରୁ ୭୦ ଡଲାର ରହିଥିଲା। ଦର କମିଲେ ମଧ୍ୟ ସେହି ଅନୁସାରେ ଲୋକଙ୍କୁ ଲାଭ ମିଳୁନ ଥିବା ଜଣାପଡିଛି।

Share