Categories: ବାଣିଜ୍ୟ

‘ପେଟ୍ରୋଲିୟମ ପ୍ରଡକ୍ଟରେ ଜିଏସ୍‌ଟି ନେଇ ରାଜ୍ୟ ବିଚାର କରିବେ’

ନୂଆଦିଲ୍ଲୀ,୧୦-୨: ପେଟ୍ରୋଲ ଏବଂ ପେଟ୍ରୋଲିୟମ ପ୍ରଡକ୍ଟକୁ ଏବେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରରେ ରଖାଯାଇଛି। ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ଜିଏସ୍‌ଟି କେବେ ଠାରୁ ଲାଗୁ କରାଯିବ ସେ ନେଇ ରାଜ୍ୟଗୁଡିକ ନିଷ୍ପତ୍ତି ନେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଏସଂକ୍ରାନ୍ତ ନିଷ୍ପତ୍ତି ରାଜ୍ୟ ଏବଂ ଜିଏସ୍‌ଟି ପରିଷଦ ଉପରେ ରହିଛି। କେବଳ ନିୟମରେ ଏକ ସଂଶୋଧନ ଆସିବାର ଆବଶ୍ୟକ ହେବ ବୋଲି ସେ ମତ ଦେଇଛନ୍ତି। ଜିଏସ୍‌ଟି ହାର ଉପରେ ମତ ରଖି ସେ କହିଛନ୍ତି ଯେ, ପ୍ରତି ୩ ମାସରେ ଜିଏସ୍‌ଟି ହାର ଉପରେ ନିଷ୍ପତ୍ତି ହେବା ଦେଖା ଯାଉଛି। ମାତ୍ର ଏହା ନ ହୋଇ ବର୍ଷକୁ ଥରେ ଏଭଳି ପଦକ୍ଷେପ ନିଆଯିବା ଆବଶ୍ୟକ। ଏସଂକ୍ରାନ୍ତ ଜିଏସ୍‌ଟି ପରିଷଦ ସାମ୍ନାରେ ରଖାଯାଇଛି। ଏ ନେଇ ଶୀଘ୍ର ଆଲୋଚନା କରାଯିବ। ବଜାରରେ ଚାହିଦା ବଢାଇବା ଲାଗି ସରକାର ବଜେଟରେ ପଦକ୍ଷେପ ନେଇଥିବା ସେ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ଦେଶକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପହଞ୍ଚାଇବା ଲାଗି ଭିତ୍ତିଭୂମି ଗଠନ ଦିଗରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଗ୍ରାମାଞ୍ଚଳର ବିକାଶ ଲାଗି ୧୬ ସୂତ୍ରୀ ଯୋଜନା ହାତକୁ ନିଆଯାଉଛି। ଟିକସ ହାର ହ୍ରାସ ହେବା ଯୋଗୁ ଏହା ଦ୍ୱାରା ଲୋକଙ୍କ ନିକଟକୁ ଅଧିକ ଅର୍ଥ ଆସି ପାରିବ। ଦେଶର ମୌଳିକ ଢାଞ୍ଚାର ଦୃଢତାକୁ ନଜରରେ ରଖାଯାଇଥିବା ବେଳେ ଶିଳ୍ପ ଜଗତ ସହ ନିରନ୍ତର ଭିତ୍ତିରେ ଯୋଡି ହେବା ସରକାରଙ୍କ ଇଚ୍ଛା ବୋଲି ସେ ମତ ବ୍ୟକ୍ତ କରିଛନ୍ତି। ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଦ୍ୟୋଗ ଏବଂ ବାଣିଜ୍ୟ ସହ ଯୋଡି ହୋଇ ସରକାର ଜଣେ ଫାାସିଲିଟେଟର ବା ସୁବିଧା ଯୋଗାଣ ଭାବେ କାର୍ଯ୍ୟ କରିବେ। ଟିକସ ପ୍ରଦାନ କ୍ଷେତ୍ରରେ ଯେଭଳି କୌଣସି ଅସୁବିଧା ହେବ ନାହିଁ ତାକୁ ମଧ୍ୟ ସରକାର ଦେଖିବେ। ସେ ଆହୁରି କହିଛନ୍ତି ଯେ, ଟିକସ ପ୍ରଶାସନକୁ ଦକ୍ଷ କରିବା ଲାଗି ସରକାର ନିରନ୍ତର ଭିତ୍ତିରେ ପଦକ୍ଷେପ ନେଉଛନ୍ତି। ଫେସଲେସ୍‌ ଆପିଲ ଭଳି ସୁବିଧା ଲୋକଙ୍କ ଲାଗି ଆସିଛି। ଟିକସ କ୍ଷେତ୍ରରେ ବିଭିନ୍ନ ସମସ୍ୟା କେବଳ ଟେକ୍ନୋଲୋଜି ଦ୍ୱାରା ସମାଧାନ କରାଯାଇ ପାରିବ।

Share