ପୃଥକ୍‌ ଦୁର୍ଘଟଣାରେ ୪ ମୃତ

ଢେଙ୍କାନାଳ ଅଫିସ,୨୮ା୫ଢେଙ୍କାନାଳ ସହରରେ ସୋମବାର ଦୁଇଟି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏକ ଟ୍ରକ୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଟିପ୍ପର ମାଡ଼ି ଯିବାରୁ ଆଉ ୨ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ମୋଟଙ୍ଗା ଥାନା ହିନ୍ଦୋଳରୋଡ ଫାଣ୍ଡି ଏକଘରିଆ ଗ୍ରାମର ଅମରଜ୍ୟୋତି ସ୍ବାଇଁ(୩୫), ଗଁଦିଆ ଥାନା ରାଧାଦେଈପୁର ଗ୍ରାମର ଇତିଶ୍ରୀ ରାଉତ(୨୪), ଭଗବାନପୁରର ଅଶାନ୍ତି ସାହୁ(୪୦) ଓ ଚିନା ବେହେରା(୭୨)।
ଇତିଶ୍ରୀ ସାବିତ୍ରୀ ଭାର ନେଇ ସଦର ଥାନା ସିମିନଇ ଗ୍ରାମରେ ଥିବା ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ। ସେ ଭଉଣୀ ଘରୁ ଫେରି ଅମରଜ୍ୟୋତିଙ୍କ ସହ ବାଇକରେ ଆସୁଥିଲେ। ଅପରାହ୍ନ ପ୍ରାୟ ସାଢେ ୪ଟାରେ ଢେଙ୍କାନାଳ ସହର କଣ୍ଟାନାଳୀ ବାଇପାସଠାରେ ଏକ ଟ୍ରକ୍‌ ଉଭୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଅମରଜ୍ୟୋତିଙ୍କ ମୃତ୍ୟୁ ଘଟିଥିଲା। ଇତିଶ୍ରୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳ ଓ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକ୍‌କୁ ଜବତ କରିଛି। ଚାଳକ ଫେରାର ହୋଇଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
ସେହିପରି ସନ୍ଧ୍ୟା ସାଢେ ୬ଟାରେ ପୌରାଞ୍ଚଳର ଭଗବାନପୁରଠାରେ ଚିନା ଚରିବାକୁ ଯାଇଥିବା ତାଙ୍କ ଗାଈକୁ ଆଣିବାକୁ ଯାଇଥିଲେ। ସେଠାରେ ଅଶାନ୍ତିଙ୍କ ଘରେ କଥାବର୍ତ୍ତା ହେଉଥିବାବେଳେ ଏକ ବାଲି ବୋଝେଇ ଟିପ୍ପର ଉଭୟଙ୍କୁ ଧକ୍କାଦେଇ ଅଶାନ୍ତିଙ୍କ ଘରେ ପଶିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଚିନା ଏବଂ ଅଶାନ୍ତିଙ୍କ ମୃତ୍ୟୁ ଘଟିଥିଲା । ଟ୍ରକ୍‌ଟି ଘର ଭିତରେ ପଶି ଯିବାରୁ ଘର ଓ କାନ୍ଥ ଭାଙ୍ଗିରୁଜି ଯାଇଛି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ଭଗବାନପୁରଠାରେ ଟାୟାର ଜାଳି ଢେଙ୍କାନାଳ-କପିଳାସ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ଖବରପାଇ ସଦର ତହସିଲଦାର ଉଦୟନାଥ ମହାପାତ୍ର, ଟାଉନ ଥାନା ଅଧିକାରୀ ଅଭିନବ ଡାଳୁଆ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଅଞ୍ଚଳବାସୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଲିସ ଜବତ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡିଛି। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଭଗବାନପୁର ଘଟଣାରେ ଉଭୟ ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।