ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼ ଘଟଣା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ବାଲେଶ୍ୱର ଅଫିସ, ୨୦।୯-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ରେମୁଣା ଗୋଲେଇ ମେଡ଼ିକାଲ କଲେଜ ଛକରେ ଗତ ୧୪ ତାରିଖ ରାତି ପ୍ରାୟ ସାଢେ ୯ଟା ବେଳେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିଲା। ପୂର୍ବଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାର ତଦନ୍ତ କରି ଗୁରୁବାର ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ୫ ଅଫୁଟା ଗୁଳି, ୫ ମୋବାଇଲ, ୩ ବାଇକ୍‌ ଓ ଧାରୁଆ ଅସ୍ତ୍ର ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ ଓ ଥାନାଧିକାରୀ ଜୟନ୍ତ ବେହେରା ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ୫ ତାରିଖରେ ରେମୁଣା ଥାନା ଜଗନ୍ନାଥପୁର ଗ୍ରାମର ସମ୍ଭବ କୁମାର ସାହୁ ଏବଂ ଚାନ୍ଦିପୁର ଥାନା ନୂଆନଈ ଗ୍ରାମର ଏସ୍‌କେ ଇସାକ ଅଲ୍ଲୀ ଜମିବାଡ଼ି ଦଲାଲି ଘଟଣାରେ ଟଙ୍କା ନେଣଦେଣକୁ ନେଇ ଗଣ୍ଡଗୋଳ ଲାଗିଥିଲେ। ଇସାକ ଅଲ୍ଲୀ ଏହାର ପ୍ରତିଶୋଧ ନେବା ପାଇଁ ୪ଜଣଙ୍କୁ ନେଇ ଏକ ଗ୍ୟାଙ୍ଗ ତିଆରି କରିଥିଲେ। ଉକ୍ତ ରାତିରେ ସମ୍ଭବ ସାଙ୍ଗମାନଙ୍କ ସହିତ ରେମୁଣା ଗୋଲେଇସ୍ଥିତ ମେଡ଼ିକାଲ କଲେଜ ଛକରେ ବସିଥିଲେ। ଏହି ସମୟରେ ୩ଟି ବାଇକ୍‌ରେ ୫ଜଣ ଯୁବକ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ। ଏହାପରେ ମାନସିଂବଜାର ଅଞ୍ଚଳର ଦିଲୀପ ବେହେରା ସମ୍ଭବଙ୍କ ଉପରକୁ ଗୁଳି ମାରିଥିଲେ। ଗୁଳିଟି ସମ୍ଭବଙ୍କ ଡାହାଣ ହାତ କହୁଣୀରେ ବାଜିଥିଲା। ଘଟଣାସ୍ଥଳରେ ସମ୍ଭବ ରକ୍ତାକ୍ତ ଅବସ୍ଥାରେ ପଡ଼ିଯିବାରୁ ଉକ୍ତ ୫ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସମ୍ଭବଙ୍କୁ ଆହତ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ସମ୍ଭବଙ୍କ ପିତା ରଘୁନାଥ ସାହୁ ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ମାମଲା (ନଂ. ୧୦୭/୧୯) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାରେ ଚାନ୍ଦିପୁର ଥାନା ନୂଆନଈ ଗ୍ରାମର ଏସ୍‌କେ ଇସାକ ଅଲ୍ଲୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ପଲସର ବାଇକ୍‌୍‌ (ନଂ. ଓଡ଼ି୦୧ବି-୯୦୮୭), ୨ଟି ମୋବାଇଲ ଜବତ କରାଯାଇଛି। ଟାଉନ ଥାନା ଗୋପାଳଗାଁ ଅଞ୍ଚଳର ସିଦ୍ଧାର୍ଥ ଶଙ୍କର ବାଗଙ୍କଠାରୁ ଏକ ଧାରୁଆ ଅସ୍ତ୍ର, ସିଡି ଡିଲକ୍ସ ବାଇକ୍‌ (ନଂ. ଓଡ଼ି୦୧-୭୩୧୭), ଗୋଟିଏ ମୋବାଇଲ ଓ ଶିଳ୍ପାଞ୍ଚଳ ଥାନା ନୂଆଗାଁ ଅଞ୍ଚଳର ରାଜେନ୍ଦ୍ର ପ୍ରଧାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୫ଟି ଗୁଳି, ଗୋଟିଏ ମୋବାଇଲ ଜବତ କରାଯାଇଛି। ସେହିପରି ଚାନ୍ଦିପୁର ଥାନା ରଣସାହି ଅଞ୍ଚଳର ସର୍ବେଶ୍ୱର ମଲ୍ଲିକଙ୍କଠାରୁ ଏକ ୟାମାହା ବାଇକ୍‌ (ନଂ. ଓଡ଼ି-୦୧ଡବ୍ଲ୍ୟୁ-୬୧୧୧୦) ଓ ଗୋଟିଏ ମୋବାଇଲ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ପୋଲିସ କହିଛି।