ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୭ ଆହତ

ଜଗତ୍‌ସିଂହପୁର ଅଫିସ, ୩।୧: ଜଗତ୍‌ସିଂହପୁର ଥାନା ଅଧୀନ ଯଶୋବନ୍ତପୁର ପଞ୍ଚାୟତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତା ଯୋଗୁ ଗୋଟିଏ ପରିବାରର ୭ ଜଣ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ବେହେରା ସାହିର ଦେବେନ୍ଦ୍ର ବେହେରା (୫୨), ବିଶ୍ୱରଞ୍ଜନ ବେହେରା (୨୪), ଦିବ୍ୟଜ୍ୟୋତି ବେହେରା (୧୯)ଙ୍କ ସମେତ ପରିବାରର ୪ ମହିଳା ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ବେଳେ ଦେବେନ୍ଦ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ୩/୨୦ ନଂ.ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗ ମୁତାବକ, ଅପରାହ୍ନ ପ୍ରାୟ ୨ଟା ବେଳେ ସ୍ଥାନୀୟ ଅଞ୍ଚଳର ତପନ ବେହେରା, ଦୀପନ ବେହେରା, ଧୁମା ବେହେରା, ଉମା ବେହେରା, ସେମାନଙ୍କ ପୁଅ ଚିଣ୍ଟୁ, ପିଣ୍ଟୁ ଓ ଟୁଟୁ ତାଙ୍କ ଘର ଆଗରେ ଗାଳିଗୁଲଜ କରିଥିଲେ। ଏ ନେଇ ଦିବ୍ୟଜ୍ୟୋତି ଓ ବିଶ୍ୱରଞ୍ଜନ ଥାନାରେ ଅଭିଯୋଗ କରିବାକୁ ଯାଉଥିବା ବେଳେ ଅଭିଯୁକ୍ତମାନେ କାଠପୋଲ ନିକଟରେ ଜିଆଇ ରଡ, କଟୁରି, ଖଣ୍ଡା, ଭୁଜାଲି ଏବଂ କୋଦାଳ ବେଣ୍ଟ ଆଦି ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଦିବ୍ୟଜ୍ୟୋତିଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିପରି ଦେବେନ୍ଦ୍ରଙ୍କର ନାକ, ଓଠ ଆଦିରେ କ୍ଷତ ସୃଷ୍ଟି ହୋଇଛି। ବିଶ୍ୱରଞ୍ଜନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦିବ୍ୟଜ୍ୟୋତି ଓ ବିଶ୍ୱରଞ୍ଜନଙ୍କୁ ପ୍ରଥମେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପଟେ ଅଭିଯୁକ୍ତମାନେ ଦେବେନ୍ଦ୍ରଙ୍କ ଘର ଆଗରେ ଗାଳିଗୁଲଜ କରିବା ସହ ଘରର ୪ ଜଣ ମହିଳା ଓ ଯୁବତୀଙ୍କୁ ଆକ୍ରମଣ କରିଥିଲେ।