ପୂର୍ବଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ଜଣଙ୍କୁ ହତ୍ୟା

ଠାକୁରମୁଣ୍ଡା,୧୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ନଦା ଗ୍ରାମରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ପାତ୍ର ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ଗ୍ରାମର ନାରାୟଣ ପାତ୍ର (୫୫) କିଛି ଲୋକଙ୍କ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରିଥିଲେ। ନିର୍ମାଣ ଶ୍ରମିକଙ୍କୁ ମଜୁରୀ ଦେଇ ରାତି ପ୍ରାୟ ୮ଟାରେ ଫେରୁଥିବା ସମୟରେ ଘରଠାରୁ କିଛି ଦୂରରେ ଲୁଚି ରହିଥିବା କେତେଜଣ ତାଙ୍କୁ ଅତର୍କିତ ଭାବେ ଧାରୁଆଅସ୍ତ୍ରରେ ଆକ୍ରମଣ କରିଥିଲେ। କିନ୍ତୁ ସେ କୌଣସି ଉପାୟରେ ଖସି ଘରକୁ ଆସିଥିଲେ କିନ୍ତୁ ଆକ୍ରମଣକାରୀ ତାଙ୍କୁ ପିଛା କରି ଘରୁ ଟାଣି ଆଣି ବାହାରେ ଧାରୁଆଅସ୍ତ୍ରରେ ତାଙ୍କ ବେକକୁ କାଟି ପଳାଇ ଯାଇଥିଲେ। ମୃତକଙ୍କ ପୁଅ ରତିକାନ୍ତ ଏ ସମ୍ପର୍କରେ ମହୁଲଡ଼ିହା ଥାନାରେ ଅଭିଯୋଗ କରିବା ପରେ କେସ ନଂ.୨୮ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ହତ୍ୟାକାଣ୍ଡରେ ୫/୬ଜଣ ସାମିଲ ଥିବା ନେଇ ମହୁଲଡିହା ପୋଲିସ ସୂତ୍ରରୁ ପ୍ରକାଶ।