ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମେଡ଼ିକାଲ ଛକ ଆଡୁ ଶ୍ରୀମନ୍ଦିର ଆଡ଼କୁ ବୋଲେରୋ ଗାଡ଼ି ଆସୁଥିବା ବେଳେ ଅନ୍ୟପଟେ ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାବାଳକ ନାତି ଓ ଅନ୍ୟ ଜଣେ ନାବାଳକ ଆସୁଥିଲେ । ଏହି ସମୟରେ ବାଲଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡ଼ୁ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ କିଛି ବାଟ ଘୋଷାଡି ହୋଇଯିବା ସହ ଆହତ ହୋଇଥିଲେ । ଲୋକ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ବୋଲେରୋ ଚାଳକଙ୍କୁ କାବୁ କରିଥିଲେ। ତେବେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଜାରିରହିଛି ।


