ପୁଣି ହାତୀ ଭାଙ୍ଗିଲା ଘର

ଚିତ୍ରଡା,୨୬।୫(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ମୋରଡା ବ୍ଲକରେ ହାତୀ ଉପଦ୍ରବ ଥମିବାର ନା ଧରୁନି। ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆସି ଚିକଟାମାଟିଆ ପଞ୍ଚାୟତ ଭାଲୁଘେରା ଗାଁର ବାଜୁନ ମୁର୍ମୁଙ୍କ ଚାଳ ଘର ଭାଙ୍ଗି ଧାନଗୁଡିକୁ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି। ଏନେଇ ରାସଗୋବିନ୍ଦପୁର ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ହାତୀଟି ଶିମିଳିପାଳର ବୋଲି ଜଣାପଡ଼ିଛି। ସୋମବାର ଖାଦ୍ୟ ଅନ୍ବେଷଣରେ ଉକ୍ତ ଦନ୍ତା ହାତୀ ଦେଉଳି ରେଞ୍ଜ ହୋଇ ରାସଗୋବିନ୍ଦପୁର ରେଞ୍ଜକୁ ପଶିଆସିଥିଲା। ବର୍ତ୍ତମାନ ସେ ଭାତଛତର ଜଙ୍ଗଲରେ ରହିଛି ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।