Categories: ଜାତୀୟ

ପୁଣି ଏକ ନାଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ,୩୧।୧: ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖାଇଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପବନ। କୋର୍ଟ ଏହାକୁ ଖାରଜ କରିଥିଲେ ମଧ୍ୟ ଏବେ ପୁଣିଥରେ ପବନ ଏହି ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଖଲ କରିଛନ୍ତି। ୪ ନିର୍ଭୟା ଦୋଷୀଙ୍କ ଫାଶୀ ଟାଳିବାକୁ ସେମାନଙ୍କ ଓକିଲମାନେ ଶୁକ୍ରବାର କୋର୍ଟରେ ଯୁକ୍ତି ବାଢିଛନ୍ତି। ବିଚାରପ୍ରକ୍ରିୟା ସରି ନ ଥିବାରୁ ଫାଶୀ ଉପରେ ରୋକ ଲଗାଯାଉ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ନିର୍ଭୟା ଦୋଷୀମାନେ ଗୋଟିଏ ପରେ ଗୋଟିଏ ନାଟକ ଦେଖାଇ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି। ପୂର୍ବରୁ କୋର୍ଟ ପ୍ରଥମେ ଜାନୁୟାରୀ ୨୨ରେ ସମସ୍ତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। ହେଲେ ଦୋଷୀ ମୁକେଶ ରାଜକ୍ଷମା ଆବେଦନ କରିବାରୁ କୋର୍ଟ ଏହାକୁ ଫେବୃୟାରୀ ୧କୁ ଘୁଞ୍ଚାଇଛନ୍ତି। ଏବେ ଏହି ତାରିଖରେ ମଧ୍ୟ ଦୋଷୀଙ୍କୁ ଫାଶୀ ମିଳି ନ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Share