ପିଲା ବେଳର ଫଟୋ ଶେୟାର କରି ରିଷିଙ୍କୁ ମନେପକାଇଲେ ସୁର ସାମ୍ରାଜ୍ଞୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲଗାତର ଦ୍ୱିତୀୟ ଦିନରେ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଅଭିନେତା ଇର୍ଫାନ ଖାଁଙ୍କ ବିୟୋଗର ଦୁଃଖ ମନରୁ ଲିଭି ନ ଥିବା ବେଳେ ଗୁରୁବାର ବର୍ଷୀୟାନ ଅଭିନେତା ରିଷି କପୁର ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

ଇତିମଧ୍ୟରେ କୋକିଳ କଣ୍ଠ ତଥା ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର ମଧ୍ୟ ରିଷିଙ୍କ ନିଧନରେ ଭାବୁକ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ଲତା ରିଷିଙ୍କ ପିଲା ବେଳର ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି। ଯେତେବେଳେ ରିଷି ୬ ମାସର ହୋଇଥିଲେ ସେତେବେଳେ ଲତା ରିଷିଙ୍କୁ ନିଜ କୋଳରେ ଧରିଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ଏଥିସହ ସେ ଟୁଇଟରର ଏକ କ୍ୟାପଶନ୍‌ରେ ଲେଖିଛନ୍ତି, ନିକଟରେ ରିଷି ମୋତେ ତାଙ୍କର ଓ ମୋର ଏହି ଫଟୋ ପଠାଇଥିଲେ। ତାଙ୍କର ସେହି ସବୁ କଥା ଏବେ ମନେ ପଡ଼ୁଛି। ତାଙ୍କର ମୃତ୍ୟୁରେ ମୁଁ ମ୍ରିୟମାଣ ହେବା ସହ ଶବ୍ଦହୀନ ହୋଇପଡ଼ିଛି। ତାଙ୍କ ମୃତ୍ୟୁ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ କ୍ଷତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଲତା କହିଛନ୍ତି।

Share