ପିଲାଙ୍କୁ ସ୍ମାର୍ଟ କରିବ ସ୍ମାର୍ଟକ୍ଲାସ୍‌

ଢେଙ୍କାନାଳ ଅଫିସ, ୧୩ା୯-ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁବାରଠାରୁ ସ୍ମାର୍ଟକ୍ଲାସ ଆରମ୍ଭ ହୋଇଛି। ଏହି ସ୍ମାର୍ଟକ୍ଲାସରେ ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀଛାତ୍ରମାନେ ପ୍ରତି ବିଷୟରେ ସହଜରେ ଶିକ୍ଷାଲାଭ କରିପାରିବେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଲେ, ଶିକ୍ଷାକୁ ସହଜ, ସରଳ, ବୋଧଗମ୍ୟ ଏବଂ ଆମୋଦଦାୟକ କରିବାରେ ସ୍ମାର୍ଟକ୍ଲାସ ସହାୟକ ହେବ। ପ୍ରଥମ ପର୍ଯ୍ୟାୟରେ ଜିଲାର ୫ଟି ସ୍କୁଲରେ ଏହା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲାର ୮ ବ୍ଲକର ୨୦ ସ୍କୁଲରେ ଏହି ପାଠ୍ୟକ୍ରମ ପ୍ରଚଳନ ହେବ। ଜିଲାର ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ସ୍ମାର୍ଟକ୍ଲାସ ପରିଚାଳିତ ହେବ। ଏହା ୯ମ ଏବଂ ୧୦ମ ଶ୍ରେଣୀର ପିଲାଙ୍କୁ ସ୍ମାର୍ଟ କରିବାରେ ସହାୟକ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଇଓ ଅଜୟ ପାତ୍ର ଯୋଗଦେଇ ସ୍ମାର୍ଟକ୍ଲାସର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଓଡ଼ିଶାରେ ଏହା ହେଉଛି ପ୍ରଥମ ଏବଂ ନୂତନ କାର୍ଯ୍ୟକ୍ରମ। ଜିଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ସଦର ବିଇଓ ନିତ୍ୟାନନ୍ଦ ବାରିକ, କାମାକ୍ଷାନଗର ବିଇଓ ପ୍ରମୁଖ ବିହାର ରାଜ୍ୟର ବାଙ୍କା ଜିଲା ପରିଦର୍ଶନରେ ଯାଇ ସେଠାକାର ସ୍କୁଲରେ କାର୍ଯ୍ୟକାରୀ କରାଯାଇଥିବା ସ୍ମାର୍ଟକ୍ଲାସ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ଏହାର ସମୀକ୍ଷା କରାଯିବା ପରେ ଜିଲାରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ସୂଚନା ଦିଆଯାଇଥିଲା।
ପ୍ରଭୁ ଆଶିଷ ମହାପାତ୍ର କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।