ପିଲାଙ୍କୁ ବହି ବାଣ୍ଟିଲେ ଶିକ୍ଷୟିତ୍ରୀଶିକ୍ଷକ

ପୁରୀ ଅଫିସ,୧୭ା୪: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧିକୁ ପ୍ରଧାନମନ୍ତ୍ରୀ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ପିଲାମାନେ ଘରେ ରହିବେ, ପଢିବେ ବୋଲି କୁହାଯାଇଥିଲା। ହେଲେ ପାଖରେ ବହି ନ ଥିବାରୁ ସେମାନେ କିଭଳି ପାଠପଢିବେ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଘରେ ବହି ପହଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ବୁଧବାରଠାରୁ ପୁରୀ ଜିଲାରେ ଛାତ୍ରୀଛାତ୍ରଙ୍କୁ ବହି ବଣ୍ଟନ କରାଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ମାଧ୍ୟମରେ ଶିକ୍ଷୟିତ୍ରୀଶିକ୍ଷକମାନେ ପିଲାଙ୍କ ଘର ଘର ବୁଲି ବହି ବାଣ୍ଟିଛନ୍ତି। ପ୍ରଥମ ଦିନରେ ପୁରୀ ପୌରାଞ୍ଚଳ ସମେତ ସଦର ଓ ବ୍ରହ୍ମଗିରି ବ୍ଲକର କେତେକ ଜାଗାରେ ବହି ବଣ୍ଟନ କରାଯାଇଥିବା ଜଣାପଡିଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ବହି ବ୍ଲକ ଏବଂ ସ୍କୁଲସ୍ତରରେ ପହଞ୍ଚତ୍ଛି। ଏହାକୁ ଆସନ୍ତା ୨୫ତାରିଖ ସୁଦ୍ଧା ପୁରୀ ଜିଲାର ସମସ୍ତ ପିଲାଙ୍କ ଘରେ ପହଞ୍ଚାଇବାକୁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। କୌଣସି ପିଲା ବହି ନେବାକୁ ସ୍କୁଲକୁ ଆସିବେ ନାହିଁ। ଶିକ୍ଷୟିତ୍ରୀଶିକ୍ଷକମାନେ ସାମାଜିକ ଦୂରତା ରକ୍ଷା କରି ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ବହି ବଣ୍ଟନ କରିବେ ବୋଲି ନିର୍ଦ୍ଦେଶ ରହିଛି।