ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ ବାନ୍ଧି ରଖିବାରେ ସହାୟକ ହୁଏ। ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପିଲାଙ୍କୁ ଛୋଟ ବେଳୁ ହିଁ ଛୋଟ ଛୋଟ ନିୟମ ପାଳନ କରିବା ପାଇଁ ଶିକ୍ଷାଦେବା ଆବଶ୍ୟକ। ପିଲାମାନେ ଘରେ ଓ ବାହାରେ କିଭଳି ଶୃଙ୍ଖଳିତ ବ୍ୟବହାର ଦେଖାଇବେ ସେ ଦିଗରେ ମା’ବାପା ସେମାନଙ୍କୁ ଅବଗତ କରାଇବା ଦରକାର। ଜାଣନ୍ତୁ ପିଲାଙ୍କୁ କେମିତି ଦେବେ ଅନୁଶାସନର ଶିକ୍ଷା। ଘରେ ଅନେକ ସମୟରେ ପିଲାମାନଙ୍କ ମଧ୍ୟରେ ଝଗଡ଼ା ହେବା ସମାନ୍ୟ କଥା। ହେଲେ ପିଲାମାନେ ଏହାକୁ ନେଇ ମାଡ଼ ମରାମରି ହେଲେ ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ କୁହନ୍ତୁ। ଘରର ବଡ଼ମାନେ ପରସ୍ପରକୁ ଯେଭଳି ବ୍ୟବହାର କରନ୍ତି, ପିଲାମାନେ ମଧ୍ୟ ସେହିଭଳି ବ୍ୟବହାର ଦେଖାଇଥାନ୍ତି। ତେଣୁ ଘରର ବଡ଼ମାନେ ହିଁ ପରସ୍ପରକୁ ସମ୍ମାନ ଦେବା ଓ ଆଦର କରିବା ଭଳି ବ୍ୟବହାର ଦେଖାଇବା ଦରକାର। ସେହିପରି ପିଲାମାନେ ଅନେକ ସମୟରେ ବାହାରକୁ ଖେଳିବାକୁ ଯିବା ବେଳେ ବା ଟିଭି ଦେଖି ଅଭଦ୍ର ଭାଷା କହିବା ଶିଖି ଯାଇଥାନ୍ତି। ସେମାନଙ୍କୁ ଲାଗେ କି, ଏହି ଭାଷା ପ୍ରୟୋଗ କଲେ ତାଙ୍କ କଥାକୁ ଅଧିକ ଗୁରୁତ୍ୱର ସହିତ ନିଆଯିବ। ତେଣୁ ଏଭଳି ଭାଷାର ପ୍ରୟୋଗ ଫଳରେ ତାଙ୍କ ଛବିରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ପିଲାଙ୍କୁ ଶିକ୍ଷା ଦେବା ଆବଶ୍ୟକ। ବେଳେବେଳେ ବଡ଼ମାନେ କିଛି ବୁଝାଇବା
ବେଳେ ପିଲାମାନେ ଅନ୍ୟ ଆଡ଼େ ଚାହିଁବା ବା ରାଗରେ କବାଟ ବନ୍ଦ କରିଦେବା ଭଳି କାର୍ଯ୍ୟ କରିଥାନ୍ତି। ତେବେ ପିଲାମାନଙ୍କୁ ଏ ନେଇ ବୁଝାଇବା ସହ ବଡ଼ମାନଙ୍କ ଆଦର କରିବାକୁ ଶିକ୍ଷା ଦିଅନ୍ତୁ। ସେହିଭଳି ଛୋଟ ଭାଈ ଭଉଣୀଙ୍କ ସହ ଖେଳିବା ବା ସେମାନଙ୍କ ଦେଖରେଖ କରିବା ବଡ଼ ଭାଇଭଉଣୀଙ୍କ କାମ ବୋଲି ପିଲାମାନଙ୍କୁ ଶିଖାଇବା ଆବଶ୍ୟକ। ଏଥିସହ ନିଜ କାମ ନିଜେ କରିବା ପାଇଁ ପିଲାମାନଙ୍କୁ ସବୁବେଳେ ଶିକ୍ଷାଦେବା ଦରକାର, ଯାହାଫଳରେ ସେମାନେ ଦାୟିତ୍ୱବାନ ହେବେ।

Share