ସମ୍ବଲପୁର,୧୮।୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରାଠାରେ ଥିବା ଦେବଝରଣ ପର୍ଯ୍ୟଟନସ୍ଥଳୀକୁ ଶନିବାର ଭିସୁଟ୍ ଇଞ୍ଜିନିୟରିଂ ଛାତ୍ର ପିକ୍ନିକ୍ କରିବାକୁ ଯାଇଥିଲେ। ଜଳପ୍ରପାତରେ ଗାଧୋଉଥିବା ସମୟରେ ବୁଡ଼ିଯିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୁର୍ଲା ଭିସୁଟ୍ କମ୍ପ୍ୟୁଟର ସାଇନ୍ସ ତୃତୀୟ ବର୍ଷ ଛାତ୍ର ହୀରାକୁଦ ହିଣ୍ଡାଲ୍କୋ କଲୋନୀର ଅଭିଜିତ ସାମଲ ଓ ମଧ୍ୟପ୍ରଦେଶ ଭୋପାଳର ସ୍ବରୂପ ରଞ୍ଜନ ବେଉରିଆ । ଖବର ପାଇ ଯୁଯୁମୁରା ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଶ୍ୱବିଦ୍ୟାଳୟ କିମ୍ବା ବିଭାଗ ପକ୍ଷରୁ ପିକ୍ନିକ୍ ଯିବା ପାଇଁ କୌଣସି ଅନୁମତି ଦିଆଯାଇ ନ ଥିଲା। ସେମାନେ ନିଜ ଇଚ୍ଛାରେ ଯାଇଥିବା ଭିସୁଟ୍ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ ଯେ, କମ୍ପ୍ୟୁଟର ସାଇନ୍ସ ତୃତୀୟ ବର୍ଷ ୪୦ଜଣ ଛାତ୍ରୀଛାତ୍ର ଏକ ବସ୍ ଯୋଗେ ଦେବଝରଣକୁ ପିକ୍ନିକ୍ କରିବାକୁ ଯାଇଥିଲେ । ଅପରାହ୍ନରେ ଅଭିଜିତ୍ ଓ ସ୍ବରୂପ ରଞ୍ଜନ ଜଳପ୍ରପାତରେ ଗୋଧାଇବା ସମୟରେ ସେଠାରେ ବୁଡ଼ିଯାଇଥିଲେ। ହୀରାକୁଦରୁ ଆସିଥିବା ପର୍ଯ୍ୟଟକମାନେ ସେମାନଙ୍କୁ ଉଦ୍ଧାରକରି ସ୍ଥାନୀୟ ଚିକିତ୍ସାଳୟ ନେଇଥିଲେ। କସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।


