Categories: ଜାତୀୟ

ପିଓକେ ଅଞ୍ଚଳର ପାଣିପାଗ ପୂର୍ବାନୁମାନ କଲା ଆଇଏମ୍‌ଡି

ନୂଆଦିଲ୍ଲୀ,୮ା୫ (ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆଞ୍ଚଳିକ କେନ୍ଦ୍ର ପୂର୍ବ ଫର୍ମାଟରୁ ବାହାରିଯାଇ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅଧୀନରେ ଥିବା ଅଞ୍ଚଳର ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରିଛି। ଏହି ଅଞ୍ଚଳ ମଧ୍ୟରେ ରହିଛି ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଏବଂ ମୁଜାଫରାବାଦ। ଜମ୍ମୁ-କଶ୍ମୀରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଉପରୋକ୍ତ ଅଞ୍ଚଳର ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରାଯାଇଥିବା ଏହାର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି। ଗତବର୍ଷ ଅଗଷ୍ଟରେ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହେବା ପରଠାରୁ ଦୈନିକ ପାଣିପାଗ ସୂଚନାରେ ପିଓକେ ଅଞ୍ଚଳ ସମ୍ପର୍କରେ ଉଲ୍ଲେଖ କରାଯାଉଥିବା ଆଇଏମ୍‌ଡି ମହାନିର୍ଦ୍ଦେଶକ ଏମ୍‌. ମହାପାତ୍ର କହିଛନ୍ତି। ଏବେ ଉକ୍ତ ଅଞ୍ଚଳ ଜମ୍ମୁ-କଶ୍ମୀର ସବ୍‌ଡିଭିଜନ ମଧ୍ୟରେ ବୋଲି ଉଲ୍ଲେଖ କରାଯାଇଛି। ଉତ୍ତରପଶ୍ଚିମ ଡିଭିଜନ ଅଧୀନରେ ମୋଟ ୯ଟି ସବ୍‌ଡିଭିଜନ ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ-ଚଣ୍ଡିଗଡ଼-ହରିୟାଣା, ପଞ୍ଜାବ, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନ ଓ ପଶ୍ଚିମ ରାଜସ୍ଥାନ ରହିଛି। ପାକ୍‌ ଅଧିକୃତ କଶ୍ମୀର ଭାରତର ବୋଲି ନୂଆଦିଲ୍ଲୀ କହି ଆସୁଥିବାବେଳେ ପାଣିପାଗ ବିଭାଗ ଉକ୍ତ ଅଞ୍ଚଳକୁ ନିଜ ଉପଖଣ୍ଡ ମଧ୍ୟରେ ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ ଘଟଣା। ଗିଲ୍‌ଗିଟ-ବଲ୍ଟିସ୍ତାନରେ ଚଳିତ ସପ୍ତାହରେ ନିର୍ବାଚନ କରାଇବାକୁ ପାକ୍‌ ସୁପ୍ରିମକୋର୍ଟ ଅନୁମତି ଦେଇଥିବାବେଳେ ଭାରତ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।

Share