ପାଳିତା କନ୍ୟାଙ୍କୁ ବଳାତ୍କାରକରି ଗିରଫ

କୁଆଁରମୁଣ୍ଡା,୨୨।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ଝୁନମୁର ପଞ୍ଚାୟତ ଏକ ବସ୍ତିରେ ପାଳିତା ନାବାଳିକା କନ୍ୟାକୁ ବାପା ବଳାତ୍କାର କରିଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଥାନାଧିକାରୀ ବିଜୟ କୁମାର ସିଂ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପୀଡିତା ନାବାଳିକାଙ୍କୁ ଉଦ୍ଧାର କରିଛି। ଗୁରୁବାର ଉଭୟଙ୍କର ଡାକ୍ତରୀମାଇନା କରିବା ପରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା (ନଂ. ୩୩/୨୦) ରୁଜୁ ହୋଇଛି। ଅଭିଯୁକ୍ତ ବାପା ହେଲେ କିଶୋର ମିଞ୍ଜ।
ପ୍ରକାଶ ଯେ, ଶିଶୁ କନ୍ୟାର ବାବା ମରିବା ପରେ ମା’ ଅନ୍ୟତ୍ର ବିବାହ କରିଥିଲେ। ଫଳରେ ମାଉସୀ ଶିଶୁକନ୍ୟାକୁ ନିଜ ପାଖରେ ରଖି ଲାଳନପାଳନ କରିଥିଲେ। ଇତିମଧ୍ୟରେ ଝିଅ ୧୧ ବର୍ଷର ହୋଇଯାଇଛନ୍ତି। ତେବେ ମଉସା ତଥା ପାଳିତ ବାପା ଗତ ଏପ୍ରିଲ୨୫ ତାରିଖରୁ ନାବାଳିକାଙ୍କୁ ଧମକଚମକ ଦେଇ ବଳାତ୍କାର କରି ଆସୁଥିଲେ। ଯନ୍ତ୍ରଣା ସହି ନ ପାଇଁ ନାବାଳିକା ନିଜ ମାଉସୀ ମା’ଙ୍କୁ ଜଣାଇବା ପରେ ଘଟଣା ପଦାକୁ ଆସିଥିଲା। ଘଟଣାଟିକୁ ଚପାଇ ଦେବା ପାଇଁ ନାବାଳିକାକୁ ଧମକ ଦେଇଆସୁଥିଲେ ବୋଲି ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି।